HMPV: ଲକଡାଉନ ନେଇ ମୁହଁ ଖୋଲିଲା କେନ୍ଦ୍ର, ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ?

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ ୮।୧: ଦେଶରେ ଏବେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ (ଏଚଏମପିଭି) ସଂକ୍ରମଣ ହେଉଛି। ଯାହା ଏବେ ଚିନ୍ତାର କାରଣ ପାଲଟିଲାଣି। ସଦ୍ୟତମ ରିପୋର୍ଟ ଅନୁସାରେ କେତେକ ରାଜ୍ୟରେ ଏହି ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ହେଉଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଲକଡାଉନ କୁ ନେଇ ଗୁଜବ ରଟିବାକୁ ଲାଗିଲାଣି। ଗତ ୩ ଦିନ ହେଲା ‘ଲକଡାଉନ’ ହାସ୍ ଟ୍ୟାଗ୍ ଟ୍ରେଣ୍ଡ କରୁଛି। ଫଳରେ ଲୋକଙ୍କ ମନରେ କରୋନା କାଳର ଭୟ ପୁଣି ତାଜା ହେଲାଣି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ବୟାନ ଜାରି କରିଛନ୍ତି। 

ମନ୍ତ୍ରାଳୟଙ୍କ ଅଧିକାରୀକ ବୟାନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ବର୍ତ୍ତମାନ ପରିସ୍ଥିତିରେ ଲକଡାଉନର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କହିଛନ୍ତି। ସେ କହିଛନ୍ତି ଯେ ଏଚଏମପିଭି ଭୂତାଣୁକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି ଓ ଆବଶ୍ୟକ ପଦକ୍ଷେପ ମଧ୍ୟ ନେବେ। ତେବେ ସେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ନିୟମ ପାଳନ କରିବା ଓ ହାଲୁକା ଲକ୍ଷଣ ଦେଖିବାମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରିଛନ୍ତି। 

ନଡ୍ଡା କହିଛନ୍ତି ଯେ କରୋନା ମୁକାବିଲା ଅଭିଜ୍ଞତାରୁ ସରକାର ଶିକ୍ଷା ପ୍ରାପ୍ତ କରିଛନ୍ତି ଓ ଯେ କୌଣସି ଭୂତାଣୁ ସଂକ୍ରମଣ ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଏଣୁ ଜନତାଙ୍କୁ ସଠିକ ସୂଚନା ସଂଗ୍ରହ କରିବାକୁ ଓ ଲୋକଙ୍କ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି। ସେ ଏହା ମଧ୍ୟ ଭରସା ଦେଇଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ସ୍ୱାସ୍ଥ୍ୟ ସେବାକୁ ଆହୁରି ମଜଭୁତ କରିବାକୁ କାମ କରୁଛନ୍ତି। ଏଣୁ କୌଣସି ପରିସ୍ଥିତିରେ ବି ଲୋକଙ୍କୁ ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.