ନୂଆଦିଲ୍ଲୀ: ବିମାନର ଉଡ଼ାଣ ଏବଂ ଅବତରଣ ସମୟରେ କିଭଳି ରହିଛି ପାଣିପାଗର ସ୍ଥିତି ତାହାର ତଥ୍ୟ ପାଣିପାଗ ବିଭାଗକୁ ଦେବେ ବିମାନ କମ୍ପାନି। ଏଭଳି କିଛି ନୂଆ ଯୋଜନା ଆଣିବା ଦିଗରେ କାମ କରୁଛନ୍ତି ସରକାର। ଯାହା କେବଳ ଯେ, ବିମାନ ପରିଚାଳନା ପାଇଁ ଭଲ ହେବ ତାହା ନୁହେଁ ବରଂ ଏହା ପାଣିପାଗ ଆକଳନ ପାଇଁ ମଧ୍ୟ ଭଲ ହେବ।
ପାଣିପାଗ ବିଭାଗର କହିବା ଅନୁଯାୟୀ ଏହା ସାହାଯ୍ୟରେ ରିୟଲଟାଇମ ଓ୍ବେଦର ବା ସେହି ନିର୍ଦ୍ଦିଷ୍ଟ ସମୟର ପାଣିପାଗର ଅପଡେଟ ମିଳିବ। ଏହା ଦ୍ବାରା ପାଣିପାଗର ଆକଳନ ଏକ ସଠିକ୍ ରହିବ। ବର୍ତ୍ତମାନ ପାଣିପାଗ ବିଭାଗ ଯେଉଁ ଅପଡେଟ ଦେଇଥାଏ, ସେଥିରେ କିଛି ଘଣ୍ଟା ତଳେ ରେର୍କଡ ହୋଇଥିବା ତଥ୍ୟକୁ ଆଧାରକୁ ନିଆଯାଇଥାଏ। ହେଲେ ଏହି ପଦକ୍ଷେପ ଦ୍ବାରା କିନ୍ତୁ ରିୟଲଟାଇମ ସୂଚନା ମିଳିବା ଦ୍ବାରା ପାଣିପାଗ ଅପଡେଟରେ ମଧ୍ୟ ସୁଧାର ହେବ।
ବର୍ତ୍ତମାନ ସ୍ଥିତିରେ ପାଣିପାଗ ବିଭାଗ ପାଣିପାଗର ସ୍ଥିତି ଜାଣିବା ପାଇଁ ଦେଶର ୫୦ରୁ ୬୦ ସ୍ଥାନରେ ଓ୍ବେଦର ଫୋରକାଷ୍ଟିଂ ବେଲୁନ୍ ଲଞ୍ଚ କରୁଛି। ଏହା ଦ୍ବାରା ତାପମାତ୍ରା, ପବନର ଗତି, ଆର୍ଦ୍ରତା ବିଷୟରେ ସୂଚନା ମିଳିଥାଏ। ଏଥିରେ ପାଣିପାଗ ଆକଳନ ଜାରି କରିବାରେ ସହାୟକ ହୋଇଥାଏ।
ତେବେ ବିମାନର ଲ୍ୟାଣ୍ଡିଂ ଏବଂ ଟେକ୍ଅଫ୍ ସାହାଯ୍ୟରେ ପାଣିପାଗ ଆକଳନକୁ ଏକଦମ୍ ସଠିକ କରିବାକୁ ପ୍ରସ୍ତୁତି କରାଯାଉଛି। ଦେଶରେ ୬ ହଜାର ଘରୋଇ ବିମାନ ପ୍ରତିଦିନ ଟେକଅଫ୍ କରୁଛନ୍ତି ଏବଂ ଲ୍ୟାଣ୍ଡିଂ କରୁଛନ୍ତି। ଯଦି ଏମାନଙ୍କ ତରଫରୁ ରିୟଲଟାଇମ ଡାଟା ଶେୟାର କରାଯାଏ ତେବେ ବିଭାଗକୁ ଖୁବ୍ ସୁବିଧା ହେବ।
ଏନେଇ ଭୁବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ.ରବିଚନ୍ଦ୍ରନ କହିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ଜାରି ରହିଛି। ଯଦି ସବୁ କିଛି ଠିକ୍ ରହିବ ତା’ହେଲେ ଚଳିତ ବର୍ଷ ହିଁ ଏହି ସ୍କିମ ଲାଗୁ ହୋଇଯିବ। ଆଉ ଘରୋଇ ବିମାନମାନେ ପାଣିପାଗର ରିୟଲଟାଇମ ସୂଚନା ବିଭାଗ ସହ ଶେୟାର କରିବେ। ଏହା ବାଧ୍ୟତାମୂଳକ ହେବ। ଆଉ ଏହା କେବଳ ଯେ, ବିମାନ ପରିଚାଳନା ପାଇଁ ଭଲ ହେବ ତାହା ନୁହେଁ ବରଂ ଏହା ପାଣିପାଗ ଆକଳନ ପାଇଁ ମଧ୍ୟ ଉଚିତ ହେବ। ଆମ ପାଖରେ ଯେତେ ଅଧିକ ତଥ୍ୟ ରହିବ ଆମେ ସେତିକି ସଫଳ ହେବୁ।