ସୁପ୍ରିମକୋର୍ଟ ପରି ବିଶୃଙ୍ଖଳିତ ଅଦାଲତ ଦେଖି ନାହିଁ, କାହିଁକି ରାଗିଲେ ପରବର୍ତ୍ତୀ ସିଜେଆଇ

Published By : Prameya-News7 Bureau | January 08, 2025 IST

ନୂଆଦିଲ୍ଲୀ: ଜଷ୍ଟିସ୍ ଭିଆର ଗଭଇ ସୁପ୍ରିମକୋର୍ଟ ସ୍ଥିତି ଉପରେ ପୁଣି ଥରେ ଅସନ୍ତୋଷ ବ୍ୟକ୍ତି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟକୁ ସବୁଠୁ ବିଶୃଙ୍ଖଳିତ ସ୍ଥାନ କହିଛନ୍ତି ଏବଂ ହାଇକୋର୍ଟ ସହ ତୁଳନା କରିଛନ୍ତି । ଏହା ପୂର୍ବରୁ ଗତ ବର୍ଷ ସେ ଅନୁଶାସନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଉପରେ ପ୍ରଶ୍ନ ଉଠାଇଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଷ୍ଟିସ ଗଭଇ ୨୦୨୫ ମେ ମାସରେ ସିଜେଆଇ ଅର୍ଥାତ୍ ଭାରତର ପ୍ରଧାନ ବିଚାରପତି ହେବେ । ଅନ୍ୟପଟେ ଜଷ୍ଟିସ୍ ଗଭଇ ହାଇକୋର୍ଟଙ୍କୁ ପ୍ରଶଂସା କରିଛନ୍ତି । 

ଲାଇଭ ଲ’ର ରିପୋର୍ଟ ଅନୁସାରେ ବିଚାରପତି କହିଛନ୍ତି, 'ମୁଁ ବମ୍ୱେ, ନାଗପୁର ଏବଂ ଔରଙ୍ଗାବାଦ ବେଞ୍ଚରେ ଜଜ୍ ରହିସାରିଛି, କିନ୍ତୁ ସୁପ୍ରିମକୋର୍ଟ ପରି ବିଶୃଙ୍ଖଳା କେଉଁଠି ଦେଖିନାହିଁ । ଏଠି ଗୋଟିଏ ପଟେ ୬ ଆଇନଜୀବୀ, ଅନ୍ୟପଟେ ୬ ଆଇନଜୀବୀ ବସନ୍ତି ଏବଂ ଏକାସଙ୍ଗରେ ପାଟି କରିବା ଆରମ୍ଭ କରନ୍ତି । ହାଇକୋର୍ଟରେ ମୁଁ ଏଭଳି କେବେ ଦେଖି ନାହିଁ ।'

ଗତ ବର୍ଷ ସେପ୍ଟେମ୍ୱର ଜଷ୍ଟିସ୍ ଗଭଇ ସମାନ ଢଙ୍ଗରେ ଟିପ୍ପଣୀ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଶୁଣାଣି ବେଳେ ବାଧା ସୃଷ୍ଟି କରୁଥିବା ଆଇନଜୀବୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଜଷ୍ଟିସ୍ ଗଭଇ କହିଥିଲେ, 'ଆମ ପରି ଲୋକ, ଯେଉଁମାନେ ହାଇକୋର୍ଟରୁ ଆସିଛୁ, ସେମାନଙ୍କ ପାଇଁ ଏହା (ସୁପ୍ରିମକୋର୍ଟ) ସବୁଠୁ ବିଶୃଙ୍ଖଳତି ଅଦାଲତ ଅଟେ । କିଏ ବି କେତେବେଳେ ଉଠି ବୟାନ ଦେଉଛନ୍ତି ।' 

ଉଲ୍ଲେଖଯୋଗ୍ୟ ଯେ ସିଜେଆଇ ସଞ୍ଜୀବ ଖାନ୍ନା ୨୦୨୫ ମେ ୧୩ରେ ଅବସର ନେବେ । ଗତ ବର୍ଷ ନଭେମ୍ୱରରେ ସେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ପରେ ଦେଶର ପରବର୍ତ୍ତୀ ସିଜେଆଇ ଭାବେ ଦାୟିତ୍ୱ ନେଇଥିଲେ । ୨୦୨୫ ମେ ମାସରେ ଜଷ୍ଟିସ୍ ଗଭଇ ସିଜେଆଇ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.