ବେଙ୍ଗାଲୁରୁ ୭।୧: ଏଆଇ ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ପତ୍ନୀ ନିକିତା ସିଂଘାଣିଆଙ୍କ ଏଫଆଇଆର ରଦ୍ଦ ନିମନ୍ତେ ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏସ.ଆର.କୃଷ୍ଣ କୁମାରଙ୍କ ଏକକ ବେଞ୍ଚରେ ନିକିତାଙ୍କ ଓକିଲ ଏଫଆଇଆର ରଦ୍ଦ ନିମନ୍ତେ ଆବେଦନ ଉପସ୍ଥାପିତ କରିଥିଲେ। କୋର୍ଟ ମୌଖିକ ଆଦେଶ ଗୃହୀତ କରି ଆବେଦନକୁ ନାକଚ କରିଦେଇଛନ୍ତି।
କୋର୍ଟ କହିଛନ୍ତି ଯେ ଅତୁଲ ସୁଭାଷଙ୍କୁ ଆତ୍ମହତ୍ୟା ନିମନ୍ତେ ଉସକାଇବା ଲାଗି ଏଫଆଇଆରରେ ସବୁକିଛି ଦିଆଯାଇଛି। ପୀଠ କହିଛନ୍ତି ‘ଆମେ ଆଉ କଣ ଦେଖିବୁ?’ ଏଫଆଇଆରରୁ ଜଣା ପଡୁଛି ଯେ ଅପରାଧ ହୋଇଛି। ଏଥିରେ ଆପଣ ଯାଞ୍ଚ କରାଇବା ପାଇଁ ପଛଉଛନ୍ତି କାହିଁକି? ନିକିତାଙ୍କ ଓକିଲ କହିଛନ୍ତି ଯେ ଆତ୍ମହତ୍ୟା ଲାଗି ଉସକାଇବା ସମ୍ପର୍କରେ ଏଫଆଇଆର ରୁଜୁ କରିବା ପାଇଁ ଅଭିଯୋଗରେ କୌଣସି ଆଧାର ନାହିଁ। ଏଣୁ ତାଙ୍କ ମହକିଲଙ୍କ ବିରୋଧରେ ମକଦ୍ଦମା ରଦ୍ଦ କରାଯାଉ।
ଓକିଲ ଏହା ମଧ୍ୟ ତର୍କ ଦେଇଥିଲେ ଯେ ଅତୁଲ ସୁଭାଷ ନିକିତା ଓ ତାଙ୍କ ପରିବାର ଲୋକଙ୍କ ଦ୍ୱାରା କରାଯାଇଥିବା ଏପରି କୌଣସି କୃତ୍ୟର ଉଲ୍ଲେଖ କରିନାହାନ୍ତି, ଯେଉଁଥି ପାଇଁ ତାଙ୍କୁ ଆତ୍ମହତ୍ୟା କରିବାକୁ ପଡିଛି। ଓକିଲ କହିଛନ୍ତି ଯେ ଆବେଦନକାରୀଙ୍କୁ ଆଇନଗତ ସହାୟତା ନେବା ପାଇଁ ସମ୍ପୂର୍ଣ୍ଣ ଅଧିକାର ରହିଛି ଓ ଅତୁଲ ସୁଭାଷଙ୍କ ବିରୋଧରେ ଅଭିଯୋଗ ରୁଜୁ କରିବାମାତ୍ରେ ନିକିତାଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇ ପାରିବନି।
ତେବେ ଏହା ପୂର୍ବରୁ ବେଙ୍ଗାଲୁରୁର ଏକ କୋର୍ଟ ଜାନୁୟାରୀ ୪ ତାରିଖ ଦିନ ଆତ୍ମହତ୍ୟା ଲାଗି ଉସକାଇବା ମାମଲାରେ ନିକିତା ସିଂଘାଣିଆ, ତାଙ୍କ ମା ନିଶା ସିଂଘାଣିଆ ଓ ଭାଇ ଅନୁରାଗ ସିଂଘାଣିଆଙ୍କୁ ଜାମିନ ମଞ୍ଜୁର କରିଥିଲେ। ଜାମିନ ନିମନ୍ତେ ୩ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା।