ଭୁବନେଶ୍ୱର ୦୮।୦୧ : ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ମୁଣ୍ଡ-ଗଣ୍ଡି ଅଲ୍ଗା କରିଦେଲେ ଦୁର୍ବୃତ୍ତ । ମୃତ ଯୁବକ ହେଉଛନ୍ତି ସ୍ଥାନୀୟ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି। ୧୩ ବର୍ଷ ପରେ ପୁଣି ଥରେ ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା ।
ଖବର ଅନୁଯାୟୀ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ସହଦେବ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍ଏସ୍ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ ୪ ଜଣ ଯୁବକ ଦୁଇଟି ବାଇକ୍ରେ ତାଙ୍କୁ ପିଛା କରିଥିଲେ । ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଖଣ୍ଡାରେ ଚୋଟ ମାରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ।
ତେବେ ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ରେ ଯାଉଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମଞ୍ଚେଶ୍ୱର ଓ ଶହୀଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ସହ ପୋଲିସ ଛାନଭିନ କରୁଥିବା ବେଳେ କେତେକ ପ୍ରତ୍ୟେକଦର୍ଶୀଙ୍କୁ ପଚରାଉଚରା କରୁଛି । ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି ।
୨୦୧୧ ଜାନୁଆରୀ ଘଟଣାର ପୁଣି ଥରେ ପୁନରାବୃତ୍ତି ହୋଇଛି । ୨୦୧୧ ଜାନୁଆରୀ ୨୭ ତାରିଖ ରାତି ସାଡେ ୯ଟା ବେଳେ ରସୁଲଗଡ ଜିଜିପି କେନାଲ ରୋଡରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ସଂଜୟ ଗୌଡ ନାମକ ଜଣେ ଯୁବକଙ୍କୁ କୁଖ୍ୟାତ ଅପରାଧୀ ଗଞ୍ଜାମର ପ୍ରଦୀପ ପଲାଇ ଚାପଡରେ ହାଣି ଗଣ୍ଡି-ମୁଣ୍ଡ ଅଲଗା କରିଦେଇଥିଲା। ସେତେବେଳେ ଗଣ୍ଡିରୁ ମୁଣ୍ଡ ଛିଡି ଯାଇ ବିକ୍ଷିପ୍ତ ହୋଇପଡିଥିବା ବେଳେ ଏବେ କିନ୍ତୁ ଗଣ୍ଡିରେ ମୁଣ୍ଡ ସାମାନ୍ୟ ଝୁଲି ରହିଛି । ସେହି ଘଟଣା ସେତେବେଳେ କମିଶନରେଟ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଥିଲା । ଏହି ଘଟଣାର ୧୩ ବର୍ଷ ପରେ ପୁଣି ଥରେ ରାଜଧାନୀରେ ମୁଣ୍ଡ-ଗଣ୍ଡି ଅଲଗା ଘଟଣା ସହରବାସୀଙ୍କ ନିଦ ହଜାଇ ଦେଇଛି ।