ସହଦେବ ନାୟକ ହତ୍ୟା ଘଟଣା, ଅଜ୍ଞାତ ସ୍ଥାନରେ ତିନି ଜଣଙ୍କୁ ଚାଲିଛି ଜେରା !

Published By : Prameya-News7 Bureau | January 08, 2025 IST

Breaking_1

ଭୁବନେଶ୍ୱର ୦୮।୦୧ : ରସୁଲଗଡ଼ ଓଭରବ୍ରିଜ୍‌ରେ ସହଦେବ ନାୟକଙ୍କ ହତ୍ୟା ଘଟଣାରେ ଆକ୍ସନମୋଡରେ କମିଶନରେଟ୍‌ ପୋଲିସ । ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହରେ ତିନି ଜଣ ଯୁବକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ଏକ ଅଜ୍ଞାତ ସ୍ଥାନରେ ତିନି ଜଣଙ୍କୁ ରଖି ପଚରାଉଚରା କରୁଛି ପୋଲିସ । 

ସୂଚନାଯୋଗ୍ୟ ଯେ, ବୁଧବାର ସକାଳ ପ୍ରାୟ ୮ଟା ସମୟରେ ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ଏକ ନାଲି ରଙ୍ଗର ଜୁପିଟର ଯୋଗେ ଭିଏସ୍‌ଏସ୍‌ ନଗରରୁ ରସୁଲଗଡ଼ ପଟକୁ ଆସୁଥିଲେ । ଏହି ସମୟରେ କିଛି ଯୁବକ ଦୁଇଟି ବାଇକ୍‌ରେ ତାଙ୍କୁ ପିଛା କରିଥିଲେ । ଆଉ ଶେଷରେ ଜାତୀୟ ରାଜପଥର ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଚୋଟ ମାରିଥିଲେ । ଫଳରେ ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏବେ ଏହି ବୀଭତ୍ସ ହତ୍ୟା ଘଟଣାରେ ପୋଲିସ ୩ ଜଣ ଯୁବକଙ୍କୁ ଏକ ଅଜ୍ଞାତ ସ୍ଥାନରେ ଅଟକ ରଖି ଜେରା କରୁଛି ।

ସେପଟେ ଆଇନ ମନ୍ତ୍ରୀ ଘଟଣାରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କୌଣସି ଦୋଷୀଙ୍କୁ ଛଡାଯିବନାହିଁ । ପୋଲିସ ତଦନ୍ତ କରୁଛି, ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.