ଚୀନରେ ବ୍ୟାପିଥିବା ନୂଆ ଭାଇରସକୁ ନେଇ ଭାରତ ସରକାର ସତର୍କ, WHOକୁ ମାଗିଲେ ପୂରା ତଥ୍ୟ

Published By : Prameya-News7 Bureau | January 04, 2025 IST

India Today

ନୂଆଦିଲ୍ଲୀ: ଚୀନରେ ଗତ କିଛି ଦିନ ଧରି ବ୍ୟାପିଥିବା ନୂଆ ଭାଇରସକୁ ନେଇ ଭାରତ ସରକାର ସତର୍କ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ବୈଠକ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚୀନର ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି । ଏହାଛଡ଼ା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହି ଭୂତାଣୁର ସ୍ଥିତି ଉପରେ ସଠିକ୍ ସୂଚନା ଉପଲବ୍ଧ କରାଇବା ପାଇଁ ଅନୁରୋଧ କରିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ବୟାନ ଜାରି କରି ଲୋକଙ୍କୁ ହ୍ୟୁମନ୍ ମେଟାନ୍ୟୁମୋଭାଇରସକୁ ନେଇ ସୂଚନା ଦେଇଛି । ଏହାସହ ଏହି ଭୂତାଣୁକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରଣାଳୟ କହିଛି । କେନ୍ଦ୍ର ଏହି ମାମଲାର ସମ୍ପୂର୍ଣ୍ଣ ନଜର ରଖିଛନ୍ତି । ବର୍ତ୍ତମାନର ପାଣିପାଗରେ ଏହିପରି ମାମଲା ବୃଦ୍ଧି ଦେଖିବାକୁ ମିଳିଥାଏ । ଚୀନର ସ୍ଥିତି ମଧ୍ୟ ସାମାନ୍ୟ ରହିଛି । ମନ୍ତ୍ରଣାଳୟ କହିଛି, 'ଭାଇରସକୁ ନେଇ ଆସିଥିବା ରିପୋର୍ଟ ଦର୍ଶାଉଛି ଯେ ଗତ କିଛି ଦିନ ଭିତରେ ଯେଉଁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି, ତାହା ମୁଖ୍ୟତଃ ଇନଫ୍ଲୁଏଞ୍ଜା ଭାଇରସ, ଆରଏସଭି, ଏଚ୍‌ଏମ୍‌ପିଭି ଯୋଗୁଁ । ଏହା ସାଧାରଣ ରୋଗର କାରକ ଏବଂ ଏଭଳି ପାଣିପାଗରେ ଏହାର ପ୍ରଭାବ ଦେଖିବାକୁ ମିଳିଥାଏ ।'

ଦେଶରେ ବ୍ୟାପିଥିବା ଭୂତାଣୁର ପ୍ରକୋପ ଖବରକୁ ଚୀନ ଖଣ୍ଡନ କରିଛି ଏବଂ ଏଭଳି ଖବରକୁ ବିଶ୍ୱାସ ନକରିବା ପାଇଁ କହିଛି । ପ୍ରତିବର୍ଷ ଶୀତ ଦିନରେ ଶ୍ୱାସଜନତି ସମସ୍ୟା ଦେଖାଯାଇଥାଏ ବୋଲି ଚୀନ କହିଛି । ଚଳିତ ବର୍ଷ ଯେଉଁସବୁ ମାମଲା ସାମନାକୁ ଆସିଛି, ତାହା ଗତବର୍ଷ ତୁଳନାରେ କମ ଗମ୍ଭୀର ରହିଛି । ଉଲ୍ଲେଖଯୋଗ୍ୟ ଯେ ସୋସିଆଲ୍ ମିଡିଆରେ ଚୀନର ବିଭିନ୍ନ ହସ୍ପିଟାଲର ଭିଡିଓ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବହୁ ଅଧିକ ଥିବା ନଜର ଆସୁଛି । ଅନ୍ୟପଟେ କିନ୍ତୁ ଚୀନ ବିଦେଶ ମନ୍ତ୍ରଣାଳୟ ଏହାକୁ ପାଣିପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.