ଚୀନ୍ ରେ ବ୍ୟାପୁଥିବା Virus କେତେ ବିପଦଜନକ? ଜାଣନ୍ତୁ ହ୍ୟୁମାନ ମେଟା ନ୍ୟୁମୋ ଭୂତାଣୁର ଲକ୍ଷଣ

Published By : Prameya-News7 Bureau | January 04, 2025 IST

ନୂଆଦିଲ୍ଲୀ ୪।୧: ଚୀନ୍‌ରେ ଏକ ନୂଆ ଭୂତାଣୁର ତୀବ୍ର ସଂକ୍ରମଣ ହେଉଛି। ଏହାକୁ ହ୍ୟୁମାନ ମେଟା ନ୍ୟୁମୋ ଭୂତାଣୁ ବା ଏଚଏମପିଭି ବୋଲି କୁହାଯାଉଛି। ଏହା ଉତ୍ତର ଚୀନର ବିଭିନ୍ନ ସହରରେ ବ୍ୟାପି ସାରିଥିବା ବେଳେ ହସ୍ପିଟାଲ ସବୁ ଏବେ ସଂକ୍ରମିତଙ୍କ ଦ୍ୱାରା ଭରିଯାଇଛି। ଏହି ଭୂତାଣୁର ଲକ୍ଷଣ ମଧ୍ୟ କୋଭିଡ-୧୯ ପରି। ତେବେ ଏହା ଶିଶୁଙ୍କୁ ଅଧିକ ପ୍ରଭାବିତ କରୁଛି। ଏଚଏମପିଭିର ଲକ୍ଷଣ କୋଭିଡ-୧୯ ଓ ଫ୍ଲୁ ଭଳି। ଏଣୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ଏବେ ବଢି ଯାଇଛି। 

ଏଚଏମପିଭି ଭୂତାଣୁକୁ ୨୦୦୧ ମସିହାରେ ଖୋଜା ଯାଇଥିଲା।  ଏହି ଭୂତାଣୁ ନ୍ୟୁମୋଭେରିଏଡ ପରିବାର ସହ ସମ୍ବଦ୍ଧିତ, ଯାହା ରେସ୍ପିରେଟରୀ ସେନସିଟିୟଲ ଭାଇରଲ (ଆରଏସଭି) ପରିବାରର। ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଅନୁସାରେ ସାଧାରଣତଃ ଏହି ଭୂତାଣୁ ଶ୍ୱାସନ ସଂକ୍ରମଣର କାରଣ ହୋଇଥାଏ, ଯାହା ସାଧାରଣ ସର୍ଦ୍ଦି ବା ଫ୍ଲୁ ଭଳି ଲକ୍ଷଣ ଦେଖାଇଥାଏ। ସିଡିସିଙ୍କ ଅନୁସାରେ ଏହି ଭୂତାଣୁ ସବୁ ଆୟୁ ସମୂହଙ୍କୁ ଆକ୍ରାନ୍ତ କରିଥାଏ। 

ଏହି ଭୂତାଣୁ ସଂକ୍ରମଣ ହେଲେ କାସ, ନାକ ଚୁଣ୍ଟା ହେବା, ଜ୍ୱର ରହିବା, ଗଳା ଖସଖସ ହେବା, ଗୁରୁତର ମାମଲାରେ ନିଶ୍ୱାସ ନେବାରେ ସମସ୍ୟା ହେବା। କିଛିମାମଲାରେ ଏହା ବ୍ରୋଙ୍କାଇଟିସ୍, ନିମୋନିଆ ବା ଆଜମା ଭଳି ଲକ୍ଷଣ ଦେଖାଇଥାଏ। ଏହି ଭୂତାଣୁ ବେଶ୍ ସହଜରେ ବ୍ୟାପିଥାଏ ଓ ବିଶେଷ କରି ସଂକ୍ରମିତ ଲୋକଙ୍କ କାସିବା, ଛିଙ୍କିବା ଓ କଥା କହିବା ବେଳେ ଶ୍ୱାସନ ବୁନ୍ଦ ଦ୍ୱାରା ବ୍ୟାପିଥାଏ। ଯେଉଁଠି ଭୂତାଣୁ ଥାଏ ସେହି ପୃଷ୍ଠକୁ ଛୁଇଁଲେ ବି ଏହା ବ୍ୟାପିଥାଏ। ଅନ୍ୟମାନଙ୍କ ସହ ସମ୍ପର୍କରେ ରହିବା ଦ୍ୱାରା, ଭିଡ଼ଭାଡ଼ ଅଞ୍ଚଳରେ ଓ ରୁଦ୍ଧ ସ୍ଥାନମାନଙ୍କରେ ଏହି ସଂକ୍ରମଣ ସମ୍ଭାବନା ବଢି ଯାଇଥାଏ। 

ଏହି ଭୂତାଣୁ ଯୋଗୁ ୫ ବର୍ଷରୁ କମ ବୟଷ୍କ ପିଲାଙ୍କ ଲାଗି ବିଶେଷ ବିପଦ ଥାଏ। ଏହା ଛଡା ବୃଦ୍ଧ ବିଶେଷ କରି ୬୫ ବର୍ଷ ବୟସରୁ ଅଧିକ ବୟଷ୍କ ଲୋକ ଯେଉଁମାନଙ୍କ ଇମ୍ୟୁନିଟି କମ ସେମାନଙ୍କ ଲାଗି ମଧ୍ୟ ବିପଦଜନକ। ସିଡିସିଙ୍କ ଅନୁସାରେ ଏଚଏମପିଭି ଏକ ଋତୁକାଳୀନ ସଂକ୍ରମଣ ଯାହା ଶୀତ ଋତୁ ଶେଷରେ ବ୍ୟାପି ଥାଏ। ଏହି ଭୂତାଣୁକୁ ରୋକିବା ପାଇଁ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ସାବୁନରେ ଧୁଅନ୍ତୁ, ହାତ ଧୋଇ ନଥିଲେ ମୁହଁରେ ହାତ ଲଗାନ୍ତୁ ନାହିଁ, ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ, ଯଦି ଅସୁସ୍ଥ ହୁଅନ୍ତି ଘରେ ରହନ୍ତୁ ଯେପରି ଭୂତାଣୁ ବେଶି ନ ବ୍ୟାପେ। ନ୍ୟୁକ୍ଲିକ୍ ଏସିଡ ଆମ୍ପ୍ଲିଫିକେସନ ଟେଷ୍ଟ ଦ୍ୱାରା ଏହି ଭୂତାଣୁ ସଂକ୍ରମଣ ସ୍ପଷ୍ଟ କରାଯାଇ ପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.