ମୁମ୍ବାଇ ୨।୧: ପାଖାପାଖି ୨୩ ବର୍ଷ ପୂର୍ବେ ୩୪ ବର୍ଷ ବୟଷ୍କ ହେମନ୍ତ ଜୈନ ମୁମ୍ବାଇର ନାପଡା ଅଞ୍ଚଳରେ ୧୪୪ ବର୍ଗଫୁଟର ଏକ ଦୋକାନକୁ ନିଲାମରେ କିଣିଥିଲେ। ଏହି ସମ୍ପତ୍ତି ସମ୍ପର୍କରେ ସେ ସମ୍ବାଦପତ୍ରରେ ପଢିଥିଲେ ଓ ଏଥି ପାଇଁ ବୋଲି ଲଗାଇବାକୁ ମନସ୍ତ କରିଥିଲେ। ସେ ଖବରକାଗଜରେ ପଢିଥିଲେ ଯେ ଦାଉଦ ଇବ୍ରାହୀମର ସମ୍ପତ୍ତି କ୍ରେତାଙ୍କୁ ଆକର୍ଶିତ କରୁ ନାହିଁ, ଏହା ପରେ ସେ ସମ୍ପତ୍ତି ପାଇଁ ନିଲାମରେ ଅଂଶଗ୍ରହଣ କରିଥିଲେ।
ତେବେ ଏହି ସମ୍ପତ୍ତି ସହ ତାଙ୍କର ଏକ ଜଟିଳ ଯାତ୍ରା ଆରମ୍ଭ ହୋଇଥିଲା। ସମ୍ପତ୍ତି ତାଙ୍କୁ ଦୀର୍ଘ ଆଇନଗତ ଲଢେଇରେ ଫଶେଇ ଦେଇଥିଲା। ଏହା ଏଥି ପାଇଁ ହୋଇଥିଲା ଏହି ସମ୍ପତ୍ତିର ଏକ ବଡ଼ ଅଂଶ ଅଣ୍ଡରୱାର୍ଲଡର କୁଖ୍ୟାତ ଲୋକଙ୍କ ମଧ୍ୟରୁ ଜଣେ ଦାଉଦ ଇବ୍ରାହୀମର ଥିଲା। ଏବେ ୫୭ ବର୍ଷ ବୟଷ୍କ ଜୈନ ସେପ୍ଟେମ୍ବର ୨୦୦୧ରେ ଆୟକର ବିଭାଗ ନିଲାମରେ ଜୟରାଜଭାଇ ଷ୍ଟ୍ରିଟରେ ଥିବା ଏହି ଦୋକାନ ନିମନ୍ତେ ୨ଲକ୍ଷ ଟଙ୍କା ଜମା କରିଥିଲେ ଓ ଏହି ସମ୍ପତ୍ତିକୁ ନିଜ ନାମରେ କ୍ରୟ କରିଥିଲେ। ତେବେ ସମ୍ପତ୍ତି କିଣିବାର ଖୁସି ତାଙ୍କର ବେଶି ସମୟ ରହିନଥିଲା।
କାରଣ ଅଧିକାରୀମାନେ ତାଙ୍କୁ ଭ୍ରମିତ କରିଥିଲେ ଓ କହିଥିଲେ କେନ୍ଦ୍ର ମାଲିକାନାଧିନ ସମ୍ପତ୍ତି ହସ୍ତାନ୍ତର କରିବାରେ କଟକଣା ରହିଛି। ଟାଇମସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ପରେ ସେ ଜାଣିବାକୁ ପାଇଥିଲେ ଯେ କେନ୍ଦ୍ର ସରକାରଙ୍କର ଏପରି କୌଣସି କଟକଣା ନାହିଁ। ସେ କହିଛନ୍ତି ଯେ ଆୟକର ବିଭାଗ କହିଥିଲା ଯେ ସମ୍ପତ୍ତିର ମୂଳ ଫାଇଲ ନାହିଁ। ଏଣୁ ମାଲିକାନା ହସ୍ତାନ୍ତରଣ ପ୍ରକ୍ରିୟା ଅଧାରେ ରହିଯାଇଛି। ରିପୋର୍ଟରେ କୁହାଯାଇଛି ଯେ ସେ ଏଥି ପାଇଁ ଅଟଳବିହାରୀ ବାଜପେୟୀ, ମନମୋହନ ସିଂହ ଓ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏ ନେଇ ସେ ଅନେକ ବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖିଥିଲେ। ହେଲେ ଏଥିରୁ ତାଙ୍କୁ କୌଣସି ଲାଭ ମିଳି ନଥିଲା।
୨୦୧୭ ପର୍ଯ୍ୟନ୍ତ ସମ୍ପତ୍ତିର ଫାଇଲ ସମ୍ପୂର୍ଣ୍ଣ ଗାୟବ ହୋଇଯାଇଥିଲା ଓ ଜୈନଙ୍କୁ ଏବେକା ବଜାର ମୂଲ୍ୟରେ ଷ୍ଟାମ୍ପ ଡ୍ୟୁଟି ପୈଠ କରିବାକୁ କୁହାଯାଇଥିଲା, ଯାହା ସେତେବେଳକୁ ୨୩ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଥିଲା। ଏହା ଛଡା ରେଜିଷ୍ଟ୍ରେସନ ଚାର୍ଜ ଓ ପେନାଲ୍ଟି ତାଙ୍କର ଆର୍ଥିକ ସମସ୍ୟାକୁ ଆହୁରି ବଢେଇ ଦେଇଥିଲା। ସେ ତର୍କ ଦେଇଥିଲେ ଯେହେତୁ ସମ୍ପତ୍ତିକୁ ନିଲାମରେ କିଣାଯାଇଛି ଏଣୁ ଷ୍ଟାମ୍ପ ଡ୍ୟୁଟି ବଜାର ମୂଲ୍ୟ ଅନୁସାରେ ହିସାବ ହୋଇ ପାରିବ ନାହିଁ। ଏଥି ପାଇଁ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରେଜିଷ୍ଟ୍ରି କାର୍ଯ୍ୟାଳୟ ସହିତ ସମ୍ପର୍କ କରିଥିଲେ। ତେବେ ଏଥିରୁ ମଧ୍ୟ କୌଣସି ଫଳ ମିଳି ନଥିଲା।
ହେଲେ ହେମନ୍ତ ଜୈନ ହାର ମାନି ନଥିଲେ ଓ ପେନାଲ୍ଟି ରୂପେ ୧.୫ଲକ୍ଷ ଟଙ୍କା ଷ୍ଟାଣ୍ପ ଡ୍ୟୁଟି ପୈଠ କରିଥିଲେ। ଶେଷରେ ୧୯ ଡିସେମ୍ବର ୨୦୨୪ରେ ସମ୍ପତ୍ତି ତାଙ୍କ ନାମକୁ ରେକର୍ଡ ଭୁକ୍ତ ହୋଇଛି। ସେ କହିଛନ୍ତି ଏହି ଲଢେଇକୁ ମୁଁ ଅଧାରେ ଛାଡିବିନି, ଯେତେବେଳେ ସମ୍ପତ୍ତି ମୋ ନାମରେ ହୋଇ ସାରିଲାଣି ମୁଁ ଏବେ ଏହାର ଦଖଲ ମଧ୍ୟ ନେବି। ଏହି ସମ୍ପତ୍ତି ଏବେ ଦାଉଦର ଗୁଣ୍ଡାଙ୍କ ଦଖଲରେ ଅଛି, ଯେଉଁମାନେ ଦୋକାନକୁ ଲେଦ ମେସିନ ୱାର୍କସପରେ ପରିଣତ କରିଛନ୍ତି।
ଦୃଢମନା ଜୈନ କହିଛନ୍ତି ଯେ ଅଧିକାରୀମାନେ ମୋତେ ସମ୍ପତ୍ତିକୁ ଭୁଲି ଶାନ୍ତିରେ ନିଶ୍ୱାସ ନେବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଆମେ ଗାଁଲୋକ ଆମକୁ ଡର ଲାଗେ ନାହିଁ। ଗ୍ରାମୀଣମାନେ ବରଗଛ ଭଳି ହୋଇଥାନ୍ତି ଓ ସବୁ ପ୍ରକାର ପବନକୁ ସହ୍ୟ କରିବାକୁ ମଜଭୁତ ଥାନ୍ତି। ଦାଉଦ ଇବ୍ରାହୀମର ସାମ୍ରାଜ୍ୟ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ଏହି ସମ୍ପତ୍ତି ଜବତ କରାଯାଇଥିଲା ଓ ବିଦେଶୀ ମୁଦ୍ରା ହେରଫେର ଅଧିନିୟମରେ ଜବତ ଅନ୍ୟ ସମ୍ପତ୍ତି ମଧ୍ୟରୁ ଏକ ଥିଲା।
ତେବେ ଜୈନ ଓ ତାଙ୍କ ବଡ଼ ଭାଇ ପିୟୁଷ ଏପରି ସମ୍ପତ୍ତି କ୍ରୟ କରିବାରେ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଥିଲେ। ତେବେ ଜୈନଙ୍କ ଏହି ଲଢେଇ ଦୋକାନଠାରୁ ମଧ୍ୟ ବହୁତ ବଡ଼। ସେ କହିଛନ୍ତି ଏହି ସମ୍ପତ୍ତି ମୁଁ ଏଥି ପାଇଁ କିଣିଛି କାରଣ ମୁଁ ଦାଉଦ ଇବ୍ରାହୀମର ପ୍ରଭୁତ୍ୱକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଥିଲି।