ପୁଣି ଏକ ହେବ ପାୱାର ପରିବାର! ଅଜିତଙ୍କ ମା କରିଛନ୍ତି ପ୍ରାର୍ଥନା

Published By : Prameya-News7 Bureau | January 02, 2025 IST

ମୁମ୍ବାଇ ୨।୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ପୁଣି ବୁଝାମଣା ହେବାର ଅଟକଳ କରାଯାଉଛି। ଏଥି ମଧ୍ୟରେ ଅଜି ପାୱାରଙ୍କ ମା ଶରଦ ଓ ଅଜିତ ପୁଣି ଏକ ହେବା ପାଇଁ ପ୍ରାର୍ଥନା କରିଛନ୍ତି। ପ୍ରଫୁଲ୍ଲ ପଟେଲ ଏ ନେଇ କହିଛନ୍ତି ଯେ ଯଦି ପାୱାର ପରିବାର ପୁଣି ଏକ ହୋଇଯାଏ , ତେବେ ସେ ଖୁସି ହେବେ। କାରଣ ଶରଦ ଆମମାନଙ୍କ ନିମନ୍ତେ ଭଗବାନଙ୍କ ଭଳି। ବୁଧବାର ବିଠଲ-ରୁକ୍ମିଣୀ ମନ୍ଦିରରେ ପୂଜାର୍ଚନା କରିବା ପରେ ଅଜିତଙ୍କ ମା ଆଶାତାୟି ପଣ୍ଢରପୁରରେ ସାମ୍ବାଦିକମାନଙ୍କୁ ଏ ନେଇ ସୂଚନା ଦେଇଥିଲେ। 

ସେ କହିଥିଲେ ଯେ ‘ପାୱାର ପରିବାରରେ ସବୁ ସମସ୍ୟା ସମାପ୍ତ ହୋଇଯାଉ ସେଥି ପାଇଁ ମୁଁ ପ୍ରାର୍ଥନା କରିଛି। ଅଜିତ ଓ ଶରଦ ପାୱାର ପୁଣି ଏକ ହୋଇଯାଆନ୍ତୁ, ମୁଁ ଆଶା କରୁଛି ମୋ ପ୍ରାର୍ଥନା ଭଗବାନ ନିଶ୍ଚିତ ଶୁଣିବେ’। ଡିସେମ୍ବର ୧୨ ତାରିଖରେ ଦିଲ୍ଲୀରେ ଶରଦ ପାୱାରଙ୍କ ଘରକୁ ଅଜିତ ପାୱାର ଜନ୍ମଦିନର ଅଭିନନ୍ଦନ ଜଣାଇବାକୁ ଯାଇଥିଲେ। ସେବେଠାରୁ ସମ୍ଭାବିତ ବୁଝାମଣା ନେଇ ଗୁଜବ ଜୋରଧରିବା ଆରମ୍ଭ କରିଥିଲା। ଏହି ଘଟଣା ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାସକ ପରେ ହୋଇଥିଲା। 

ଅଜିତ ପାୱାରଙ୍କ ଏନସିପି ଗୋଷ୍ଠୀ ଲୋକସଭା ନିର୍ବାଚନରେ ପରାଜୟ ପରେ ବିଧାନସଭା ନିର୍ବାଚନରେ ୪୧ ସିଟ୍ ଜିତି ଏକ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଆଣିଛି। ଅପରପଟେ ଶରଦ ପାୱାର ଗୋଷ୍ଠୀ ମାତ୍ର ୧୦ଟି ଆସନ ଜିତିବାରେ ସଫଳ ହୋଇଛି। ତେବେ ଆଶା ତାୟୀଙ୍କ ବୟାନ ପରେ ପାୱାର ପରିବାର ପୁଣି ଏକ ହେବା ପାଇଁ ଏନସିପିରେ ଦାବି ଜୋର ଧରିଛି। ପ୍ରଫୁଲ୍ଲ ପଟେଲ ଏହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ ଏନସିପି ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଥିଲେ ମଧ୍ୟ ଶରଦ ପାୱାରଙ୍କୁ ଏନସିପି ଓ ଅଜିତଙ୍କଠୁ ଢେର ସମ୍ମାନ ମିଳୁଛି। 

ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଶରଦ ପାୱାର ସର୍ବଦା ଆମାମାନଙ୍କ ଲାଗି ପିତାଙ୍କ ସମାନ ରହିଛନ୍ତି। ତେବେ ଆମେ ଅଲଗା ଅଲଗା ରାଜନୈତିକ ମୋଡ ନେଇଛୁ। କିନ୍ତୁ ଆମେ ସର୍ବଦା ଶରଦ ପାୱାରଙ୍କୁ ସମ୍ମାନ କରିଆସିଛୁ ଓ କରିବୁ ମଧ୍ୟ। ଏଥିରେ ଯଦି ପାୱାର ପରିବାର ପୁଣି ଏକ ହୁଅନ୍ତି ଏଥିରେ ଆମେ ବହୁତ ଖୁସି ହେବୁ। ମୁଁ ନିଜକୁ ପାୱାର ପରିବାରର ଏକ ସଦସ୍ୟ ବୋଲି ଭାବେ ବୋଲି ପ୍ରଫୁଲ୍ଲ ପଟେଲ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.