ପାରାଦ୍ୱୀପ ୩୧/୦୧: ନିର୍ଦ୍ଦୟତାର ସବୁ ସୀମା ପାର୍ କଲେ ଶିକ୍ଷୟିତ୍ରୀ । ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ଅମାନୁଷିକ ମାଡ଼ । ଅଭିଯୋଗ ନେଇ ଯାଇଥିବା ଅଭିଭାବକଙ୍କୁ ସ୍କୁଲ ଗେଟରୁ ଫେରାଇଦେଲେ ସ୍କୁଲ ପ୍ରିନ୍ସିପାଲ୍ । ପାରାଦୀପର ଏକ ଘରୋଇ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।
ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗଣିତ ଖାତା ନଦେଖାଇବାରୁ ଶିକ୍ଷୟିତ୍ରୀ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ଲହୁଲୁହାଣ କରିଛନ୍ତି । ଏନେଇ ପରିବାର ଲୋକେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ଛାତ୍ର ଜଣକର ଡାକ୍ତରୀ ମାଇନା କରାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଥାଉକି, ଶିକ୍ଷୟିତ୍ରୀଙ୍କ ମାଡ଼ରେ ଗୁରୁତର ଛାତ୍ର ମାନସିକ ସ୍ତରରେ ଭାଙ୍ଗି ପଡିଥିବା ବେଳେ, ସ୍କୁଲର ପ୍ରିନ୍ସିପାଲ ଛାତ୍ରଙ୍କ ବାପାଙ୍କୁ ଗେଟ୍ ବାହାରେ ରହିବା ପାଇଁ ନିର୍ଦ୍ଦେଶ ଦେବା ଘଟଣା ପାରାଦ୍ଵୀପରେ ଆଲୋଡନ ସୃଷ୍ଟି କରିଛି । ପାରାଦ୍ଵୀପର ଏକ ଘରୋଇ ସ୍କୁଲ ବେଥାନି କନଭେଣ୍ଟ ସ୍କୁଲରେ ଘଟିଛି ଏଭଳି ଘଟଣା ।
ଅଭିଯୋଗ ଅନୁଯାୟୀ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଅନୁପ୍ରାସ ନାୟକ ଗତ ୨୯ ତାରିଖରେ ଗଣିତ କ୍ଲାସ୍ ରେ ଗଣିତ କପି ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁଙ୍କୁ ଦେଖାଇ ନଥିବାରୁ ଶିକ୍ଷୟିତ୍ରୀ SST କ୍ଲାସ୍ କୁ ଡାକି ଛାତ୍ର ଜଣଙ୍କୁ ସମସ୍ତ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରବଳ ମାଡ଼ ମାରିଥିଲେ । ସ୍କୁଲ ଛୁଟି ପରେ ଛାତ୍ର ଜଣଙ୍କ ଘରେ ପହଞ୍ଚି ବସି ଉଠି ନପାରିବାରୁ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରିନ୍ସିପାଲଙ୍କୁ ଭେଟି ଅଭିଯୋଗ କରିଥିଲେ ।
ମାତ୍ର ପ୍ରିନ୍ସିପାଲ ଛାତ୍ରଙ୍କ ବାପାଙ୍କୁ ଗେଟ୍ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ର ଙ୍କୁ ନିର୍ମମ ଭାବେ ବାଡେଇବା ଘଟଣାକୁ ନେଇ ଛାତ୍ରଙ୍କ ବାପା ପାରାଦ୍ଵୀପ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।