ମାନବିକତା ଭୁଲିଗଲେ ପ୍ରଧାନ ଶିକ୍ଷୟିତ୍ରୀ, ଅଣଶୁଦ୍ଧିଆ ବୋଲି ବସାଇଦେଲେ ବାହାରେ

Published By : Prameya-News7 Bureau | March 10, 2025 IST

ଜଗତସିଂହପୁର ୧୦/୦୩: ପ୍ରଧାନ ଶିକ୍ଷୟିତ୍ରୀ ଭୁଲିଗଲେ ମାନବିକତା । ଅଣଶୁଦ୍ଧିଆ ବୋଲି ପିଲାଙ୍କୁ ବସାଇଦେଲେ ବାହାରେ । ଶ୍ରେଣୀ ଗୃହରେ ନବସାଇ ବାହାରେ ବସାଇଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନାଗପୁର ପଞ୍ଚାୟତ ଠାକୁର ପାଟଣା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଘଟଣା । ଯାହାର ଭିଡିଓ ଭାଇରାଲ ହେଉଛି । କିନ୍ତୁ ଅନେକ କଟକଣା ହେତୁ ଆମେ ଆପଣଙ୍କୁ ସେହି ଭିଡିଓ ଦେଖାିପାରିବୁନି । 

ସୂଚନା ଥାଉକି, ବିଦ୍ୟାଳୟରେ ପଢୁଥିବା କିଛି ପିଲାଙ୍କର ଅଣଶୁଦ୍ଧିଆ ଚାଲିଛି । ଯେଉଁଥିପାଇଁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ଅଲଗା ବାରଣ୍ଡାରେ ବସାଇଥିଲେ । ଯାହାର ଭିଡିଓ ଏବେ ସୋସିଆସଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । 

କୁଟୁମ୍ବରେ କେହି ଜଣେ ମୃତ୍ୟୁ ବରଣ କରିଥିବାରୁ ସେମାନଙ୍କର ଅଣଶୁଦ୍ଧିଆ ଥିବା ଯୋଗୁଁ ଗତ ଶନିବାର ଦିନ ତିନି ଜଣ ପିଲାଙ୍କୁ ଶ୍ରେଣୀଗୃହରୁ ବାହାର କରି  ଅଲଗା ଭାବରେ ସ୍କୁଲ ବାରଣ୍ଡାରେ ବସାଇ ଦେଇଥିଲେ । ହାତରେ ଏକ ବେତ ଧରି ସେମାନଙ୍କୁ ଶ୍ରେଣୀ ଗୃହକୁ ନସିବାଆକୁ ତାଗିଦ କରିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 

ଏଠି ପ୍ରଶ୍ନ ଉଠେ କି ପ୍ରଧାନ ଶିକ୍ଷୟିତ୍ରୀ କିପରି ଭାବରେ ଏମିତି ଅମାନୁଷିକ କାର୍ଯ୍ୟ କରିଲେ। କୁନି କୁନି ପିଲାଙ୍କୁ  ଛୁଆଁ ଅଛୁଆଁ ଭେଦଭାବ ପାଇଁ ତାଙ୍କୁ ଅଲଗା କରି ବାରଣ୍ଡାରେ ବସାଇବା ଓ ବେତ ଧରି ତାଗିତ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷପ ଗ୍ରହଣ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.