କାନବେରା: କାନବେରାରେ ଖେଳା ଯାଇଥିବା ଓ୍ଵାର୍ମଅପ୍ ମ୍ୟାଚ୍ରେ ଭାରତ ଦମଦାର ବିଜୟ ହାସଲ କରିଛି। ଭାରତୀୟ ଦଳ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏକାଦଶକୁ ୬ ଓ୍ଵିକେଟ୍ରେ ହରାଇଛି। ଭାରତ ପକ୍ଷରୁ ଶୁଭମନ ଗିଲ୍ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୪୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ବୋଲିଂରେ ହର୍ଷିତ ରାଣା ପ୍ରଭାବଶାଳୀ ପ୍ରଦର୍ଶନ କରି ୪ ଓ୍ଵିକେଟ୍ ଅକ୍ତିକାର କରିଥିବା ବେଳେ ଆକାଶ ଦୀପଙ୍କୁ ଦୁଇଟି ସଫଳତା ପାଇଛନ୍ତି ଭାରତୀୟ ଦଳ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଏହି ମ୍ୟାଚ୍ ଜିତି ନିଜର ମନୋବଳ ବେଶ ଉର୍ଦ୍ଧ୍ଵ ରଖି ପାରିଛି।
ଜ୍ୟାକ ଏଡଓ୍ଵାର୍ଡ୍ସଙ୍କ ନେତୃତ୍ଵାଧୀନ ପ୍ରଧାନମନ୍ତ୍ରୀ ଏକାଦଶ ପ୍ରଥମେ ବ୍ୟାଟିଂ କରି ୨୪୦ ରନ କରିଥିଲା। ଦଳ ପକ୍ଷରୁ ସାମ କୋନଷ୍ଟାସ ୯୭ ବଲରୁ ୧୦୭ ରନର ଶତକୀୟ ଇନିଂସ ଖେଳିଥିଲେ। ଜ୍ୟାକ କ୍ଲଟେନ ୪୦ ରନର ଇନିଂସ ଖେଳିଥିଲେ। ହାନୋ ଜ୍ୟାକବ୍ସ ୬୦ ବଲରୁ ୬୧ ରନର ଇନିଂସ ଖେଳିବାରୁ ପ୍ରଧାନମନ୍ତ୍ରୀ ଏକାଦଶ ୨୪୦ ରନରେ ପହଞ୍ଚି ପାରିଥିଲା। ଏକଦା ୨ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିବା ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା।
ଭାରତ ପକ୍ଷରୁ ବୋଲିଂରେ ହର୍ଷିତ ରାଣା ୬ ଓଭରରେ ୪୪ ରନ ଦେଇ ୪ଟି ଓ୍ଵିକେଟ୍ ହାସଲ କରିଥିଲେ। ଆକାଶଦୀପ ୧୦ ଓଭରରେ ୫୮ ରନ ବ୍ୟୟ କରି ୨ଟି ସଫଳତା ପାଇଥିଲେ। ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦର ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।
୨୪୧ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳକୁ ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ଓ୍ଵିକେଟ୍ ପାଇଁ ୭୫ ରନ ଯୋଡ଼ିଥିଲେ। କେଏଲ ରାହୁଲ ୨୭ ରନ କରି ରିଟାୟର୍ଡ ହୋଇଥିଲେ। ଶୁଭମନ ଗିଲ୍ ଚମତ୍କାର ବ୍ୟାଟିଂ କରଥିଲେ। ଅଧିନାୟକ ରୋହିତ ଶର୍ମା(୩ ରନ) ନିରାଶ କରିଥିଲେ। ନୀତିଶ ରେଡ୍ଡୀ ୪୨ ରନର ପ୍ରଭାବଶାଳୀ ବ୍ୟାଟିଂ କରିଥିଲେ। ରବୀନ୍ଦ୍ର ଜାଡ଼େଜା ୨୭ ରନ କରିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ଦ୍ରୁତ ବ୍ୟାଟିଂ କରି ୩୬ ବଲ୍ରୁ ୫ ଚୌକା ସହ ୪୨ ରନର ଇନିଂସ ଖେଳିଥିଲେ।ଆଉ ଭାରତ ମ୍ୟାଚ୍କୁ ୬ ଓ୍ଵିକେଟ୍ରେ ଜିତି ନେଇଛି।