ପର୍ଥ: ପ୍ରଥମେ ଅଧିନାୟକ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ପରେ ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲଙ୍କ ଦମଦାର ବ୍ୟାଟିଂ ବଳରେ ପର୍ଥ ଟେଷ୍ଟରେ ଡ୍ରାଇଭିଂ ସିଟ୍ରେ ଭାରତ। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ବିନା ଓ୍ଵିକେଟ୍ରେ ୧୭୨ ରନ କରିବା ସହ ୨୧୮ ରନରେ ଅଗ୍ରଣୀ ହାସଲ କରିଛି। ଯଶସ୍ଵୀ ଜୟସ୍ଵାଲ ୯୦ ରନ ଓ ରାହୁଲ ୬୨ ରନ କରି ଅପରାଜିତ ଅଛନ୍ତି। ଏଥି ସହ ପ୍ରଥମ ଦିନ ପରି ଦ୍ଵିତୀୟ ଦିନ ପର୍ଯ୍ୟନ୍ତ ଭାରତ ପ୍ରଥମ ଟେଷ୍ଟରେ ପ୍ରାଧ୍ୟାନ୍ୟ ଜାରି ରଖିଛି।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୦୪ ରନରେ ଅଲଆଉଟ୍ ହେବା ପରେ ଭାରତ ନିଜର ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ କେଏଲ ରାହୁଲ ଧୈର୍ଯ୍ୟର ପରିଚୟ ଦେଇ କ୍ରିଜରେ ଜମିବା ସହ ଦ୍ଵିତୀୟ ଦିନରେ ଭାରତର କୌଣସି କ୍ଷତି ହେବାକୁ ଦେଇ ନାହାନ୍ତି। ଉଭୟ କଙ୍ଗାରୁ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ଅବିଭାଜିତ ପ୍ରଥମ ଓ୍ଵିକେଟ୍ରେ ୧୭୨ ରନ ଯୋଡ଼ି ସାରିଛନ୍ତି। ଯଶସ୍ଵୀ ଅର୍ଦ୍ଧଶତକ ହାସଲ କରିବା ସହ ୯୦ ରନରେ ଅପରାଜିତ ଅଛନ୍ତି। ଏଥିରେ ୭ ଚୌକା ଓ ୨ ଛକା ସାମିଲ। କେଏଲ ରାହୁଲ ମଧ୍ୟ ଅର୍ଦ୍ଧଶତକୀୟ ଇନିଂସ ଖେଳି ୪ ଚୌକା ଜରିଆରେ ୬୨ ରନରେ ଅପରାଜିତ ଅଛନ୍ତି। ଦ୍ଵିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ କୌଣସି ଓ୍ଵିକେଟ୍ ନ ହରାଇ ୧୭୨ ରନ କରିଛି। ଏଥିସହ ଭାରତ ୨୧୮ ରନରେ ଅଗ୍ରଣୀ ହାସଲ କରିଛି।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନର ଖେଳ ୬୭/୭ରୁ ଖେଳ ଆରମ୍ଭ କରିଥିଲା। ଆଲେକ୍ସ କେରିଙ୍କୁ ଆଉଟ୍ କରି ବୁମରା ନିଜର ପଞ୍ଚମ ସଫଳତା ହାସଲ କରିଥିଲେ। ନିମ୍ନ କ୍ରମରେ ମିଚେଲ୍ ଷ୍ଟାର୍କ ୨୬ ରନର ଇନିଂସ ଖେଳିଥିଲେ। ହର୍ଷିତ ରାଣା ମିଚେଲ୍ ଓ ନାଥନ ଲିୟନ(୫)ଙ୍କୁ ଆଉଟ୍ କରି ଘରୋଇ ଦଳର ଇନିଂସକୁ ୧୦୪ ରନରେ ସମାପ୍ତ କରିଥିଲେ। ଫଳରେ ଭାରତ ୪୬ ରନର ମହତ୍ଵପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା। ବୁମରା ୩୦ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ। ପଦାର୍ପଣ ମ୍ୟାଚ୍ରେ ହର୍ଷିତ ରାଣା ୩ ଓ ମହମ୍ମଦ ସିରାଜ ୨ ଓ୍ଵିକେଟ୍ ନେଇଥିଲେ। ଏହା ପୂର୍ବରୁ ଭାରତ ନିଜର ପ୍ରଥମ ଇନିଂସରେ ୧୫୦ ରନରେ ଅଲଆଉଟ୍ ହୋଇଥିଲା।