ନୂଆଦିଲ୍ଲୀ ୯/୧୨: ଭାରତୀୟ ନାଗରିକ ନୁହଁନ୍ତି ଭାରତ ରାଷ୍ଟ୍ର ସମିତି ନେତା ତଥା ୩ ଥରର ବିଧାୟକ ଚେନ୍ନାମଣେନି ରମେଶ । ସେ ଭାରତର ବିଧାୟକ ହୋଇଥିଲେ ମଧ୍ୟ ସେ ପ୍ରକୃତରେ ଜର୍ମାନୀ ବାସିନ୍ଦା । ତେଲେଙ୍ଗାନାର ଭେମୁଲାୱାଡା ଆସନରୁ ଜିତିବା ପାଇଁ ସେ ଜାଲ୍ କାଗଜପତ୍ର ଜରିଆରେ ନିଜକୁ ଭାରତୀୟ ନାଗରିକ ଭାବରେ ପରିଚୟ ଦେଇଥିଲେ । ସୋମବାର ଏମିତି ରାୟ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ରମେଶଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇ କଂଗ୍ରେସର ଆଦି ଶ୍ରୀନିବାସ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଏହାର ଶୁଣାଣି କରି ରମେଶ ଭାରତୀୟ ନୁହଁନ୍ତି ବୋଲି କହିଛନ୍ତି । କୋର୍ଟ କହିଛନ୍ତି ରମେଶ ଜର୍ମାନୀ ନାଗରିକ ନୁହନ୍ତି ବୋଲି ପ୍ରମାଣ ଦେଖାଇପାରିନାହାନ୍ତି । ଏହାର ଅର୍ଥ ସେ ଜର୍ମାନ ନାଗରିକ । କୋର୍ଟ ଏଥିପାଇଁ ରମେଶଙ୍କ ଉପରେ ୩୦ ଲକ୍ଷର ଫାଇନ୍ ପକାଇଛନ୍ତି ।
୨୦୨୩ରେ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଶ୍ରୀନିବାସଙ୍କ ଠାରୁ ରମେଶ ପରାସ୍ତ ହୋଇଥିଲେ । ରମେଶ ଟିଡିପିରୁ ପ୍ରଥମ ଥର ଭେମୁଲାୱାଡା ଆସନରୁ ଜିତିଥିଲେ । ସେହି ସମୟରେ ଏହା ଆନ୍ଧ୍ରପ୍ରଦେଶରେ ଥିଲା । ଏହା ପରେ ସେ ବିଆର୍ଏସ୍ରେ ସାମିଲ ହୋଇ ୨୦୧୦ରୁ ୨୦୧୮ରୁ ହୋଇଥିବା ସାଧାରଣ ନିର୍ବାଚନ ସହ ଉପନିର୍ବାଚନ ଜିତି ୩ ଥର ବିଧାୟକ ହୋଇଥିଲେ ।
ନିୟମ କହୁଛି ଅଣ ଭାରତୀୟ କେବେ ହେଲେ ଦେଶରେ ନିର୍ବାଚନ ଲଢିପାରିବନି । ତେବେ ଜାଲ୍ ଦସ୍ତାବିଜ ଜରିଆରେ ରମେଶ ଭାରତୀୟ ନାଗରିକ କହିବା ସହ ୩ ଥର ବିଧାୟକ ହୋଇଥିଲେ । ୨୦୨୦ରେ କେନ୍ଦ୍ର ତେଲେଙ୍ଗାନା ହାଇକୋର୍ଟଙ୍କୁ ଜଣାଇଥିଲେ ଯେ ରମେଶଙ୍କ ପାଖରେ ଜର୍ମାନୀ ପାସପୋର୍ଟ ରହିଛି । ଏହାର ବୈଧତା ୨୦୨୩ ଯାଏ ଅଛି । ଏହା ପରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ରମେଶଙ୍କ ପାଖରେ ଥିବା ଭାରତୀୟ ନାଗରିକତାକୁ ରଦ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ରମେଶ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ତାଙ୍କୁ ସତ୍ୟପାଠ ଦାଖଲ କରିବା ସହ ଜର୍ମାନୀ ପାସପୋର୍ଟ ଫେରାଇଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ୨୦୨୩ରେ ସମାନ କାରଣ ପାଇଁ ରମେଶଙ୍କ ଉପନିର୍ବାଚନ ବିଜୟ ଫଳାଫଳକୁ ରଦ୍ଦ କରି ଦେଇଥିଲେ ହାଇକୋର୍ଟ । ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯିବା ସହ ରହିତାଦେଶ ଆଣିଥିଲେ । ରହିତାଦେଶ ଲାଗୁ ହୋଇଥିବାବେଳେ ସେ ୨୦୧୪ ଓ ୨୦୧୮ରେ ନିର୍ବାଚନ ଲଢି ଜିତିଥିଲେ ।