ଭୁବନେଶ୍ୱର ୨୯।୦୩ : ଆସନ୍ତା ଦୁଇଦିନ ଟିକିଏ ବି ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହରେ କଲବଲ ହେବ ଓଡ଼ିଶା । ୧ ତାରିଖ ବେଳକୁ ହାଲୁକା ଖସିପାରେ ପାରଦ। ସମ୍ଭବତଃ କାଳବୈଶାଖୀ କିଛି ଆଶ୍ୱସ୍ତି ଦେଇପାରେ। ବିଭିନ୍ନ ମଡେଲ୍ର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଚୀନ ସାଗରରେ ଥିବା ଲଘୁଚାପର ଅଂଶ ବଙ୍ଗୋପସାଗରକୁ ପଶିବ ଆସନ୍ତା ସପ୍ତାହରେ । ଏହା ପ୍ରଭାବରେ ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ରୂପ ନେବାର କିଛି ପରିମାଣରେ ସମ୍ଭାବନା ରହିଛି। ଏପରିକି ଆଉ ଏକ ମଡେଲ୍ ଗ୍ରୀଷ୍ମ କାଳୀନ ବାତ୍ୟା ସମ୍ଭାବନା ନେଇ ମଧ୍ୟ ଆକଳନ କରିଛନ୍ତି । ମାତ୍ର ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ପାଣିପାଗ ବୈଜ୍ଞାନିକଙ୍କ ମତରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯେତେ ଶକ୍ତିଶାଳୀ ହେବ, ତାହା ସେତେ ଅଧିକ ଜଳୀୟବାଷ୍ପ ଟାଣି ନେବ । ଫଳରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିପାରେ ।
ବର୍ତ୍ତମାନର ପାଣିପାଗ ପୂର୍ବାନୁମାନ ଅନୁସାରେ ଶନିବାର ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ଝାରସୁଗୁଡ଼ା ସମେତ ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼ ଓ ସୋନପୁରରେ ପାରଦ ୪୩ ଡିଗ୍ରୀ ରହିପାରେ। ଭୁବନେଶ୍ୱର, କଟକ ସମେତ ଉପକୂଳ ଓଡ଼ିଶାରେ ତାତି ୩୮ରୁ ୪୦ ଡିଗ୍ରୀ ମଧ୍ୟରେ ରହିବା ସମ୍ଭାବନା ଅଛି ।
ରବିବାର (୩୦ ତାରିଖ) ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଅଛି । ସୋନପୁର, ଟିଟିଲାଗଡ଼ ଓ ବଲାଙ୍ଗୀରରେ ସର୍ବାଧିକ ୪୩ ଡିଗ୍ରୀ ରହିପାରେ ପାରଦ। କେତେକ ସ୍ଥାନରେ ତାତି ୪୧/୪୨ ଡିଗ୍ରୀ ରହିପାରେ। ଉପକୂଳରେ ୩୭ରୁ ୪୦ ଡିଗ୍ରୀ ରହିପାରେ ପାରଦ। ୩୧ ତାରିଖରୁ ଗ୍ରୀଷ୍ମ ପ୍ରବାହ ସତର୍କ ସୂଚନା ନାହିଁ । ତଥାପି ରାଜ୍ୟରେ ତାତି ଲାଗି ରହିବ। ପଶ୍ଚିମରେ ୪୧-୪୨ ଡିଗ୍ରୀ ଓ ଉପକୂଳରେ ୩୬ରୁ ୩୯ ଡିଗ୍ରୀ ରହିପାରେ ତାପମାତ୍ରା । ଏପ୍ରିଲ ପହିଲାରୁ ତାତି ପ୍ରକୋପ ସାମାନ୍ୟ କମିବ । ପଶ୍ଚିମ ଓଡ଼ିଶାରେ ପାରଦ ୪୦-୪୧ ଡିଗ୍ରୀ ରହିପାରେ । ଉପକୂଳରେ ୩୬-୩୭ ଡିଗ୍ରୀ ପ୍ରାୟତଃ ରହିପାରେ । ୧ ତାରିଖ ପରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ଅନୁମାନ କରାଯାଉଛି ।