ତାତିରୁ ମିଳିବ ଆଶ୍ୱସ୍ତି, ୩ ରୁ ୫ ଡିଗ୍ରୀ କମିପାରେ ଦିନ ତାପମାତ୍ରା

Published By : Prameya-News7 Bureau | March 18, 2025 IST

ଭୁବନେଶ୍ୱର ୧୮।୦୩ : ସୋମବାର କମିଲା , ବୁଧବାରଠାରୁ ଆହୁରି କମିବ । ବଢ଼ିବ  କାଳବୈଶାଖୀ । ଆଣିବ ତାତିରୁ ଆଶ୍ୱସ୍ତି । ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ୍‌ କମିପାରେ । 

ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରକୋପ ହାଲୁକା କମିଛି ବିଭିନ୍ନ ସ୍ଥାନରେ । ମାତ୍ର ବୌଦ୍ଧ ବି ସବୁଠୁ ଉତ୍ତପ୍ତ ଥିଲା, ୪୩.୫ ଡିଗ୍ରୀ ସେଲସିୟସ୍‌ ତାଉରେ । ବରଗଡ଼ ୪୨, ଅନୁଗୁଳ ୪୦.୭, ମାଲକାନଗିରି ୪୦.୨ ଡିଗ୍ରୀ ତାତିରେ ଛଟପଟ ହୋଇଥିଲା । ଏହି ୪ ସହର ସମେତ ରାଜ୍ୟର ୧୩ଟି ସହରରେ  ପାରଦ ୩୯ ଡିଗ୍ରୀ ଉପରେ ଥିଲା । 

ଭୁବନେଶ୍ୱର ପାଣିପାଗ କେନ୍ଦ୍ର  ନିର୍ଦ୍ଦେଶିକା ମନୋରମା ମହାନ୍ତି  କହିଛନ୍ତି, ୧୯ ତାରିଖରୁ କାଳବୈଶାଖୀ ପ୍ରଭାବ କ୍ରମଶଃ ବଢ଼ିବ । ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ୩ରୁ ୫ ଡିଗ୍ରୀ କମିପାରେ । ମଙ୍ଗଳବାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ  ପ୍ରକୋପ ରହିପାରେ । 

ପାଣିପାଗ ପୂର୍ବାନୁମାନ ହେଲା, ମଙ୍ଗଳବାର ଝାରସୁଗୁଡ଼ା ଓ ବୌଦ୍ଧରେ  ଗ୍ରୀଷ୍ମ ଲହରୀ ଜାରି ରହିବ । ଏଥିପାଇଁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଓ   କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ନେଇ  ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବୁଧବାର କେବଳ ବୌଦ୍ଧ ଓ ଝାରସୁଗୁଡ଼ାରେ  ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ । 

ଅନୁମାନ କରାଯାଉଛି, ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ବୁଧବାର ସୁନ୍ଦରଗଡ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ,  ଯାଜପୁର, ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜାଗାରେ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା  ଅଛି । 

ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜର  କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ଏବଂ ଧୂଳିଝଡ଼ ଆଶଙ୍କା  ଅଛି । ୧୧ ଜିଲ୍ଲାରେ ଘଡ଼ଘଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି । ଶୁକ୍ରବାର କାଳବୈଶାଖୀ ଆହୁରି  ବଢ଼ିବ । ଉତ୍ତର, ଉପକୂଳ ସହ ପଶ୍ଚିମରେ ବି  ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ପବନ ବେଗ ୫୦-୬୦ କିମି ରହିପାରେ । 

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.