ମୁମ୍ବାଇ: ଆମେରିକାର ଇଲେକ୍ଟ୍ରିକ୍ କାର କମ୍ପାନି ଟେସଲା ଦେଶରେ ଏହାର ପ୍ରଥମ ଶୋ’ରୁମ ଖୋଲିଛି। ମଙ୍ଗଳବାର ମୁମ୍ବାଇ ବାନ୍ଦ୍ରା- କୁର୍ଲା କମ୍ପ୍ଲେକ୍ସରେ ଶୋ’ରୁମ୍ ଖୋଲିଥିବାବେଳେ, କମ୍ପାନି ଏହାର ଲୋକପ୍ରିୟ ଏସୟୁଭି ମଡେଲ Yକୁ ମଧ୍ୟ ଭାରତରେ ଆନୁଷ୍ଠାନିକ ଭାବରେ ଲଞ୍ଚ କରିଛି । ଆଉ ଏହି ଲଞ୍ଚ୍ ସହ କମ୍ପାନି ଦୀର୍ଘ ଅପେକ୍ଷା ପରେ ଭାରତରେ ଏହାର ଗାଡ଼ିର ବିକ୍ରି ଆରମ୍ଭ କରିଛି।
ଟେସଲା ମଡେଲ Yକୁ ଭାରତରେ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ପ୍ରଥମ ଭାରିଆଣ୍ଟ Rear- Wheel Drive (RWD) ଯାହାର ଦାମ୍ ୬୦ ଲକ୍ଷ ଟଙ୍କା ରଖାଯାଇଛି। ଅନ୍ୟ ଭାରିଆଣ୍ଟ Long Range RWD, ଯାହାର ଦାମ୍ ୬୮ ଲକ୍ଷ ଟଙ୍କା ରଖାଯାଇଛି। ଅବଶ୍ୟ କମ୍ପାନି ଏପର୍ଯ୍ୟନ୍ତ କୌଣସି ଫାଇନାନ୍ସିଂ, ଇଏମଆଇ ଦ୍ବାର କାର କିଣିବା ନେଇ ସୂଚନା ଦେଇନାହିଁ। ଏହାର ଅର୍ଥ ଯଦି କେହି ଗ୍ରାହକ ଏହି ଗାଡ଼ିକୁ କିଣିବାକୁ ଚାହୁଁଛନ୍ତି ତେବେ ଏବେ କେବଳ ସିଧା ପେମେଣ୍ଟ କରିବାକୁ ହେବ। ଅବଶ୍ୟ ହୁଏତ ପରବର୍ତ୍ତୀ ସମୟରେ କମ୍ପାନି ଫାଇନାନ୍ସର ସୁବିଧା ଉପଲବ୍ଧ କରାଇପାରେ।
ତେବେ ଟେସଲା ମଡେଲ Yର ଯେଉଁ ଦାମ୍ ଭାରତରେ ରଖାଯାଇଛି, ତାହା ଅନ୍ତର୍ଜାତୀୟ ବଜାର ତୁଳନାରେ ବେଶ ଅଧିକ ରହିଛି। କାରଣ ଆମେରିକାରେ ଏହି କାର ପ୍ରାୟ ୩୭.୫ ଲକ୍ଷ ଟଙ୍କାରେ ଉପଲବ୍ଧ। ସେହିଭଳି ଚୀନର ଏହାର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଏବଂ ଜର୍ମାନୀ ଭଳି ୟୂରୋପୀୟ ଦେଶରେ ମଧ୍ୟ ଏହାର ଦାମ୍ ୪୨ ଲକ୍ଷ ଟଙ୍କା ପାଖାପାଖି ରହିଛି।
ଅର୍ଥାତ୍ ଭାରତୀୟ ଗ୍ରାହକଙ୍କୁ ଏହି ଇଲେକ୍ଟ୍ରିକ ଏସୟୁଭି ପାଇଁ ଅଧିକ ପ୍ରମିୟମ ଦେବାକୁ ପଡ଼ିବ। ଏହାର ଦାମ୍ ଅନ୍ତର୍ଜାତୀୟ ଦାମ୍ ଠାରୁ ୪୦% ପର୍ଯ୍ୟନ୍ତ ଅଧିକ। କୁହାଯାଉଛି ଭାରତରେ ଲାଗୁଥିବା ଇମ୍ପୋର୍ଟ ଟ୍ୟାକ୍ସ ଏବଂ ଶୁଳ୍କ ଯୋଗୁ ଏହି ମୂଲ୍ୟ ଦେବାକୁ ପଡ଼ିବ। ଏବେ ବୁକିଂ ଆରମ୍ଭ ହୋଇଥିବାବେଳେ, ଅକ୍ଟୋବର ଠାରୁ ଏହାର ଡେଲିଭରି ଆରମ୍ଭ ହେବ।
Rear- Wheel Drive (RWD)ର ଫିଚର୍ସ
ମଡେଲ Yର ଏହି ଭାରିଆଣ୍ଟରେ ଅତ୍ୟାଧୁନିକ ଫିଚର୍ସ ସହ ୫୦୦ କିଲୋମିଟରର ଡ୍ରାଇଭିଂ ରେଞ୍ଜ ମିଳିବ। ଏହି କାର୍ର ଟପ୍ ସ୍ପିଡ୍ ୨୦୧ କିମି ପ୍ରତି ଘଣ୍ଟା ରହିଥିବାବେଳେ, ଏହା ମାତ୍ର ୫.୯ ସେକେଣ୍ଡରେ ୦ରୁ ୧୦୦ କିମି ପ୍ରତିଘଣ୍ଟା ସ୍ପିଡ ଧରିପାରିବ। ସୁପରଚାର୍ଜ ଦ୍ବାରା କାରକୁ ୧୫ ମିନିଟର ଚାର୍ଜରେ ୨୩୮ କିମିର ମାଇଲେଜ ଦେଇପାରିବ।
Long Range RWDର ଫିଚର୍ସ
ସେହିଭଳି ମଡେଲ Yର Long Range RWD ଭାରିଆଣ୍ଟରେ ମଧ୍ୟ ସମାନ ଫିଚର୍ସ ମିଳୁଥିବାବେଳେ ଏହାର ଅଧିକ ବଡ଼ ବ୍ୟାଟେରୀ ପ୍ୟାକ୍ ୬୨୨ କିଲୋମିଟରର ଡ୍ରାଇଭିଂ ରେଞ୍ଜ୍ ଦେବ। କାର୍ର ଟପ୍ ସ୍ପିଡ୍ ୨୦୧ କିମି ରହିଛି।