ଆଠଗଡ଼ ୧୪।୧: ଚୋରା ମଦ ଚାଲାଣ ବେଳେ ଅଭାବନୀୟ ଘଟଣା ଘଟିଛି । ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ମାରି ଚୋରା ମଦ ବେପାରୀ ଫେରାର ହୋଇଯାଇଛନ୍ତି । ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ନିକଟରେ ଘଟିଛି ଏଭଳି ଘଟଣା ।
ସୂଚନାଯୋଗ୍ୟ ଯେ, ସୋମବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ିରେ ଚୋରା ମଦ ଚାଲାଣ ହେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଅବକାରୀ ବିଭାଗର ପାଟ୍ରୋଲିଂ ଟିମ୍ ଗାଡ଼ିକୁ ପିଛା କରିଥିଲା । ଚୋରା ମଦ ବୋଝେଇ ଗାଡି ବଡମ୍ବା ଟି-ସେତୁ ନିକଟରୁ ଦ୍ରୁତ ଗତିରେ ଆଠଗଡ ଅଞ୍ଚଳକୁ ଆସୁଥିଲା । ଏହି ଗାଡିକୁ ଆଠଗଡର ଅବକାରୀ ବିଭାଗ ଟିମ୍ ପିଛା କରିଥିଲା । ମାତ୍ର ତିଗିରିଆ ଥାନା ଅନ୍ତର୍ଗତ ପଙ୍କାଳ ନିକଟରେ ଅବକାରୀ ଗାଡିକୁ ସାଇଡ ମାରି ଗାଡିର ଆଗପାଖକୁ ଭାଙ୍ଗି ଦେଇ ଚୋରା ବେପାରୀ ଗାଡି ଦ୍ରୁତ ଗତିରେ ପଙ୍କାଳ ରାସ୍ତା ଆଡକୁ ଚାଲି ଯାଇଥିଲା । ଅବକାରୀ ବିଭାଗ ପୁର୍ନବାର ପିଛା କରିଥିଲେ ମଧ୍ୟ ଧରିବାକୁ ସକ୍ଷମ ହୋଇପାରି ନଥିଲେ । ତୁରନ୍ତ ଅବକାରୀ ବିଭାଗର ଗାଡିକୁ ଆଠଗଡର ଅବକାରୀ କାର୍ଯ୍ୟାଳୟକୁ ଆଣିଥିଲେ ।
ଏହି ଅବକାରୀ ଚଢାଉରେ ଆଠଗଡର ଅବକାରୀ ସବ୍ ଇନ୍ସପେକ୍ଟର ଅରୁଣ କୁମାର ଭୋଇଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ସାମିଲ ଥିଲେ । ଏହି ଦୁର୍ଘଟଣାରେ କାହାର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଏକ ଅଭିଯୋଗ କରାଯାଇଥିବା ନେଇ ଆଠଗଡ଼ ଅବକାରୀ ସବ୍ ଇନ୍ସପେକ୍ଟର ଅରୁଣ କୁମାର ଭୋଇ ସୂଚନା ଦେଇଛନ୍ତି ।
You Can Read:
ଗୁଡ଼ି ସୂତା ଲାଗି ପୁଣି ଦୁଇ ଜଣ ଆହତ : କଟିଲା ବେକ, ହାତ ଓ ମୁହଁ