ପୁରୀ ୩୦।୮: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ୨୦୨୪-୨୫ ବଜେଟ୍ ଅଟକଳ ଉପରେ ଆଲୋଚନା ହୋଇଥିଲା । ୪୧୩ କୋଟି ଟଙ୍କା ଆୟ ବ୍ୟୟ ଅଟକଳ ହୋଇଥିବା ବେଳେ ୧୦୩ କୋଟିର ବଳକା ବଜେଟ୍ ହୋଇଛି । ରାଜ୍ୟ ସରକାର ୫୦୦ କୋଟି ଟଙ୍କା କର୍ପସ ଫଣ୍ଡକୁ ପ୍ରଦାନ କରିବେ । ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କଲା ପରିଚାଳନା କମିଟି ।
ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଛି । ପରମ୍ପରା ଓ ସେବା ପୂଜାରେ ଯେଭଳି ବ୍ୟାଘାତ ନହେବ ସେନେଇ ଏସପି, ଜିଲ୍ଲାପାଳଙ୍କୁ ଦାୟିତ୍ଵ ଦିଆଯାଇଛି । ନାଟ ମଣ୍ଡପରେ ଅନଧିକୃତ ଭାବେ ଥିବା ସିନ୍ଦୁକ ଓ ଆଲମିରା କଢାଯିବ । ବୟସ୍କ, ଶିଶୁ ମାନଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ସ୍ବତନ୍ତ୍ର ବ୍ୟବସ୍ଥା ହେବ । ନାଟମଣ୍ଡପକୁ ଏୟାର କଣ୍ଡିସନ କରାଯିବ । ଛତିଶା ନିଯୋଗ ବୈଠକ ପରେ ନିଷ୍ପତ୍ତି ନିଆଯିବ । ମାସକୁ ଥରେ ବୈଠକ କରି ନୀତିକାନ୍ତି ଉପରେ ଆଲୋଚନା କରାଯିବ । ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଆଲୋଚନା ହୋଇଛି । ସେବାୟତ କଲ୍ୟାଣ ଉପରେ ଆଲୋଚନା ହୋଇଛି । ସ୍ବାସ୍ଥ୍ୟ ବୀମା ସହ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଜମିଜମା ସମ୍ପର୍କିତ ଆଲୋଚନା ହୋଇଛି । ଓର୍ସା ସଂସ୍ଥା ସହାୟତାରେ ଜମିଜମାର ଜିପିଆରଏସ୍ ସର୍ଭେ ହେବ ।
ଆଡପ ପହଣ୍ଡି ବିଜେ ଅଘଟଣ ନେଇ ଆଲୋଚନା ହୋଇଛି । ପରିଚାଳନା କମିଟିରେ ଦୁଃଖ ପ୍ରକାଶ ସହ କ୍ଷମାପ୍ରାର୍ଥନା କରାଗଲା । ତିନି ଜଣିଆ କମିଟି କାରଣ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ମୋବାଇଲ୍ ଫୋନ୍ ବ୍ୟବହାର, ଅଭିଜ୍ଞ ସେବାୟତ ନ ରହିବା ଥିଲା କାରଣ । ମୁଖ୍ୟ କାରଣ କ'ଣ ସେନେଇ ପୁନର୍ବାର ତଦନ୍ତ କରାଯାଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବେ । ରଥଯାତ୍ରା ଶୃଙ୍ଖଳିତ କରିବା ପାଇଁ ୮ଟି ପରାମର୍ଶ ଦିଆଗଲା । ପହଣ୍ଡି କୋ-ଅର୍ଡିନେସନ ଟିମ୍ ଗଠନ ହେବ । ଜିଲ୍ଲାପାଳ, ଏସପି ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରିବେ । ରଥ ଉପରେ, ପହଣ୍ଡି ସମୟରେ ଧ୍ୟାନ ଦେବାକୁ ପରାମର୍ଶ । ଚାରମାଳ ଠିକ୍ ଭାବେ ବନ୍ଧାଯିବା ପାଇଁ ପରାମର୍ଶ । ଚାରମାଳକୁ ଆହୁରି ପ୍ରସସ୍ଥ ଓ ଲମ୍ବ ହେବ । ପ୍ରତ୍ୟେକ ବିଗ୍ରହଙ୍କ ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ରହିବେ । ଅନଧିକୃତଙ୍କୁ ଚିହ୍ନଟ କରିବା ପାଇଁ ଏମାନେ ମୁତୟନ ହେବେ । ଡୋନେସନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାରକୁ ସୁନା ଛାଉଣୀ କରିବା ପାଇଁ ପ୍ରସ୍ତାବ ଦେଇଛି ପରିଚାଳନା କମିଟି । ରତ୍ନଭଣ୍ଡାର ଯାଞ୍ଚ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି ଲେଖାଯିବା ପରେ ଏହାକୁ ଏଏସଆଇ ଗୁରୁତର ସହ ନେଇଛି ।
You Can Read:
E-KYC ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ, ପର୍ଯ୍ୟାପ୍ତ ସମୟ ମିଳିବ : ଖାଦ୍ୟ ଯୋଗାଣ ମନ୍ତ୍ରୀ