୧୦୦ ଥର ରିଜେକ୍ସନ୍‌, ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍; ବର୍ତ୍ତମାନ ସୁପରଷ୍ଟାର...

Published By : Prameya-News7 Bureau | March 22, 2025 IST

ନୂଆଦିଲ୍ଲୀ ୨୨।୦୩: କଳାକାର ପରିବାରରୁ ଜନ୍ମ । କିନ୍ତୁ ଫିଲ୍ମରେ ଅଭିନୟ କରିବା ନଥିଲା ସହଜ । ଥରେ କି ଦୁଇ ଥର ନୁହେଁ ୧୦୦ ଥର ଦେଇଛନ୍ତି ଅଡିସନ୍‌ । କିନ୍ତୁ ହୋଇଥିଲେ ବିଫଳ । ରିଜେକ୍ସନ୍‌ ପରେ ରିଜେକ୍ସନ୍‌ ତାଙ୍କୁ ଭାଙ୍ଗି ଦେଇଥିଲା । ସେ ଡିପ୍ରେସନ୍‌କୁ ଚାଲି ଯାଇଥିଲେ । କିନ୍ତୁ ୨୦୦୬ରେ ବଦଳିଗଲା ଭାଗ୍ୟ । ଏବେ ସେ ବଲିଉଡର ଆଗଧାଡିର ଅଭିନେତା । 

ଚକୋଲେଟ୍‌ ହିରୋ ଭାବେ ଫ୍ୟାନ୍ସଙ୍କ ହୃଦୟରେ କରନ୍ତି ରାଜ୍‌ । ବଲିଉଡ ଇଣ୍ଡଷ୍ଟ୍ରୀର ରୋମାଣ୍ଟିକ ହିରୋ । ଅଭିନୟର ଯାଦୁ ସହ ତାଙ୍କର ଚାର୍ମିଂ ଲୁକ୍‌ ଫ୍ୟାନ୍ସଙ୍କୁ କରେ କିମିଆ । ସେ ହେଉଛନ୍ତି ସାହିଦ କପୁର । ରାତିରାତି ହୋଇ ଯାଇନଥିଲେ ବଡ଼ ଷ୍ଟାର୍ । ଜିରୋରୁ ହିରୋ ହେବାର ଯାତ୍ରାରେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା ।

୨୦୦୩ରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କରିଥିଲେ ଏଣ୍ଟ୍ରି । ସାହିଦ ୧୦୦ ଥର ରିଜେକ୍ଟ ହୋଇଥିଲେ । ଦିନ ଥିଲା ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ ଚାଲି ପାରୁନଥିଲା । ହାତରେ ଗୋଟିଏ ବି ଫିଲ୍ମ ନଥିଲା ।  କ୍ୟାରିୟର ଆରମ୍ଭରେ ସେ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଫିଳ୍ମ ଦେଇଥିଲେ । ଗୋଟିଏ ମାସରେ ତାଙ୍କ ଅଭିନୀତ ୩ଟି ଫିଲ୍ମ 'ଶିଖର', 'ୱାଓ ! ଲାଇଫ ହୋ ତୋ ୟୈସି', 'ଦିୱାନେ ହୁଏ ପାଗଲ' ବକ୍ସଅଫିସରେ ଫ୍ଲପ୍ ହୋଇଯାଇଥିଲା । ଏହି ବିଫଳତା ତାଙ୍କୁ ଡିପ୍ରେସନକୁ ନେଇଯାଇଥିଲା । ମାତ୍ର ୨୦୦୬ରେ ବଦଳିଥିଲା ଭାଗ୍ୟ । 

ସେ ଦୁଇଟି ସୁପରହିଟ୍ ଫିଲ୍ମ ସହ କରିଥିଲେ ବ୍ୟାକ୍ । ଏହି ବର୍ଷ ତାଙ୍କ ଅଭିନୀତ ଫିଲ୍ମ 'ବିବାହ' ଏକ ବଡ ହିଟ୍ ସାବ୍ୟସ୍ତ ହୋଇଥିଲା । ଦୀର୍ଘ ୨୫ ସପ୍ତାହ ଧରି ଚାଲିଥିଲା ଫିଲ୍ମ । ହେଲେ ଏହି ସଫଳତା ପରେ ବି ସାହିଦଙ୍କୁ କିଛି ଫିଲ୍ମ ମିଳୁନଥିଲା । ସେ ଦୀର୍ଘ ୬ ମାସ କାଳ ଘରେ ବସିଥିଲେ। କାରଣ ଫିଲ୍ମନିର୍ମାତା ତାଙ୍କୁ କେଉଁ ରୋଲ୍‌ ଦେବେ ସ୍ଥିର କରିପାରୁନଥିଲେ । ଏହାପରେ ସେ ଆଧ୍ୟାତ୍ମିକତା ପଥରେ ଅଗ୍ରସର ହୋଇଥିଲେ । 

ନିକଟରେ ସାହିଦ୍ କପୁର ଏକ ଇଣ୍ଟରଭ୍ୟୁରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ ସମୟର ସଂଘର୍ଷ ବିଷୟରେ କହିଛନ୍ତି । ସାହିଦ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ, ''ସମସ୍ତଙ୍କୁ ଲାଗୁଥିଲା ମୁଁ ପଙ୍କଜ କପୁରଙ୍କ ପୁଅ, ତେଣୁ ମୋତେ ସହଜରେ ବ୍ରେକ୍ ମିଳିଯିବ । କିନ୍ତୁ ମୁଁ ୧୦୦ଟି ଅଡିସନରେ ରିଜେକ୍ଟ ହୋଇଥିଲି । ଏମିତିକି ମୋ ପାଖରେ ଖାଇବାକୁ କିମ୍ବା ଅଡିସନ ପାଇଁ ଯିବାକୁ ପଇସା ନଥିଲା । 

ମୁଁ ଏମିତି ଏକ ଜୀବନ ଜୀଇଁଛି । ଏହା ବିଷୟରେ ଆଲୋଚନା କରିବାକୁ ଚାହୁଁନି, ମାତ୍ର ଏହା ସତ !'' ରିପୋର୍ଟ ଅନୁସାରେ ବର୍ତ୍ତମାନ ସାହିଦ କପୁର ୩୦୦ କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ସେ ୨୦୧୫ରେ ମୀରା ରାଜପୁତଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇଟି ପୁଅ-ଝିଅ ମିଶା ଓ ଜେନ୍ ଅଛନ୍ତି । ବର୍ତ୍ତମାନ ସେ ଜଣେ ସଫଳ ଅଭିନେତା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.