ବିଲ୍‌ଡର ସସ୍ମିତ ବିଶ୍ବାଳ ହତ୍ୟା ମାମଲା : ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ଅଭିଯୁକ୍ତ ସମେତ ଏବେବି ୪ ଫେରାର

Published By : Prameya-News7 Bureau | April 12, 2025 IST

ଭୁବନେଶ୍ବର ୧୨।୪: ବିଲ୍‌ଡର ସସ୍ମିତ ବିଶ୍ବାଳ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ । ହୋମଗାର୍ଡ ସୁକାନ୍ତ ବେହେରା ଏବଂ ଜମି ଦଲାଲ ସିଲୁ ବେହେରା ଓ ଗୁଲୁ ମହାନ୍ତି ଗିରଫ ହୋଇଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତ ଟୁଲୁ ସମେତ ଏବେବି ୪ ଫେରାର ଅଛନ୍ତି । ଏ ନେଇ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ତେବେ ଜମିଜମା ବିବାଦକୁ ନେଇ ଶୁକ୍ରବାର ସସ୍ମିତଙ୍କୁ ପିଟି ପିଟି ହତ୍ୟା କରିଥିଲେ ୭ ଦୁର୍ବୃତ୍ତ ।

ସୂଚନାଯୋଗ୍ୟ ଯେ, ସସ୍ମିତଙ୍କର ପ୍ରଧାନସାହି ଅଞ୍ଚଳରେ କିଛି ଜମି ରହିଛି । ଏଥିସହ ସେ ଜମି କିଣି ପ୍ଲଟିଂ କରି ବିକ୍ରି କରନ୍ତି । ତାଙ୍କ ସହ ପ୍ରଧାନସାହିର ଟୁଲୁ ମହାନ୍ତି ପାର୍ଟନରସିପ୍‌ରେ ଜମି ବ୍ୟବସାୟ  କରନ୍ତି । ନିକଟରେ ଟୁଲୁଙ୍କ  ସହାୟତାରେ ସସ୍ମିତ ପ୍ରଧାନସାହିରେ  ଏକ ବଡ଼ ଜମି କିଣିଥିଲେ । ହେଲେ  ଉକ୍ତ ଜମିକୁ ରାସ୍ତା ନଥିଲା । ସେହି  ଜମିକୁ ରାସ୍ତା ଦେବା ପାଇଁ କମିଶନରେଟ୍‌ ପୋଲିସରେ କାର୍ଯ୍ୟରତ ଜଣେ  ହୋମ୍‌ଗାର୍ଡଙ୍କୁ କହିଥିଲେ । ଏଥିପାଇଁ  ହୋମଗାର୍ଡ ଜଣଙ୍କ ୩୯ ଲକ୍ଷ ଟଙ୍କା  ଦାବି କରିଥିଲେ । ସସ୍ମିତ ୩୯ ଲକ୍ଷ  ଟଙ୍କା ଦେଇ ହୋମ୍‌ଗାର୍ଡଙ୍କ ସହ  ଏଗ୍ରିମେଣ୍ଟ କରିଥିଲେ । ସେପଟେ  ସସ୍ମିତଙ୍କ ଜମିକୁ ଲାଗି ଅନ୍ୟଜଣେ  ବିଲ୍ଡର ମଧ୍ୟ କିଛି ଜମି କିଣିଥିଲେ ।  ଟୁଲୁ ଓ ହୋମଗାର୍ଡ ମିଶି ତାଙ୍କ ଠାରୁ  ମଧ୍ୟ ରାସ୍ତା ପାଇଁ ଟଙ୍କା ନେଇଥିଲେ ।  ରାସ୍ତା ଉନ୍ନତିକରଣ ପାଇଁ ସସ୍ମିତ  ଯିବା ସମୟରେ ହୋମ୍‌ଗାର୍ଡ ଓ ଟୁଲୁ  ତାଙ୍କୁ ହଇରାଣ ହରକତ କରୁଥିଲେ ।  ଏନେଇ ସସ୍ମିତ ଏୟାରଫିଲ୍ଡ ଥାନାରେ  ଅଭିଯୋଗ କରିଥିଲେ । ପୋଲିସ ମାମଲା  ରୁଜୁ କରି ଚୁପ୍‌ ବସିଥିଲା ।  ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ  ସସ୍ମିତ ଏକ ବାଇକରେ  ପ୍ରଧାନସାହି ସ୍ଥିତ ତାଙ୍କ ଜମିକୁ  ଯାଇଥିଲେ । ଜମି ରାସ୍ତା କାମ ପାଇଁ ଲୋକ ଲଗାଇବା ସମୟରେ ହୋମ୍‌ଗାର୍ଡ ଓ  ଟୁଲୁ ତାଙ୍କୁ ବିରୋଧ କରିଥିଲେ । ସସ୍ମିତ ଥାନାକୁ ଫୋନ୍‌ କରିବାରୁ  ପିସିଆର ପୋଲିସ ପହଞ୍ଚି ତାଗିଦ କରିବା ସହ ଉଭୟପକ୍ଷଙ୍କୁ   ଥାନାକୁ ଯାଇ ଅଭିଯୋଗ କରିବାକୁ କହି ପଳାଇ ଆସିଥିଲା ।


ଅପରାହ୍ନରେ କିଛି ପିଲା ପ୍ରଧାନସାହି କାଜୁ ଜଙ୍ଗଲ ନିକଟ ପଡ଼ିଆକୁ  ଖେଳିବାକୁ ଯାଇଥିବା ବେଳେ ମୃତଦେହ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ । ଲୋକେ ସସ୍ମିତଙ୍କୁ ଚିହ୍ନଟ କରିବା ସହ ଏୟାରଫିଲ୍ଡ   ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ପହଞ୍ଚି ମୃତଦେହ ଜବତ କରିଥିଲା । ସସ୍ମିତଙ୍କ ଭାଇ ଜିନୁ ଓରଫ  ଦେବବ୍ରତ ମହାନ୍ତିଙ୍କ ଅଭିଯୋଗକ୍ରମେ ପୋଲିସ ହତ୍ୟା ମାମଲା ରୁଜୁ କରିଥିଲେ । ସସ୍ମିତଙ୍କ ଶରୀରର ବିଭିନ୍ନ ସ୍ଥାନରେ ଠେଙ୍ଗାମାଡ଼ର ଚିହ୍ନ  ରହିଥିଲା । ତାଙ୍କୁ ଦୁର୍ବୃତ୍ତମାନେ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଆଶଙ୍କା କରାଯାଉଥିଲା । ଏହି ହତ୍ୟାପଛରେ ଟୁଲୁ ଓ ହୋମ୍‌ଗାର୍ଡଙ୍କ   ହାତ ଥିବା ସସ୍ମିତଙ୍କ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଟୁଲୁ ଓ ହୋମ୍‌ଗାର୍ଡଙ୍କ ସମେତ ୭ ଜଣ  ହତ୍ୟାକାଣ୍ଡରେ ସଂପୃକ୍ତ ଥିବା କମିଶନରେଟ୍‌ ପୋଲିସ ତଦନ୍ତରୁ ଜଣାପଡ଼ିଛି । ସେମାନଙ୍କୁ ଗିରଫ କରିବା ପାଇଁ କମିଶନରେଟ୍‌ ପୋଲିସର ୩ଟି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା ।  ହତ୍ୟାକାଣ୍ଡସ୍ଥଳରୁ ସସ୍ମିତଙ୍କ ମୋବାଇଲ ଫୋନ୍‌କୁ ପୋଲିସ ଜବତ  କରିଥିଲା । ତାଙ୍କୁ ଶେଷଥର ପାଇଁ କିଏ କଲ୍‌ କରିଥିଲା, ସେନେଇ   ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି । ହତ୍ୟାରେ ସଂପୃକ୍ତ ୭   ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।  


You Can Read:

ଆୟୁଷ୍ମାନ ଯୋଜନାରେ ନୂଆ ହିତାଧିକାରୀ ଚିହ୍ନଟ ଏବଂ ସାମିଲ କରାଇବା ଭଳି ଗୁରୁ ଦାୟିତ୍ୱ ଏବେ ସରକାରୀ କଳ ହାତରେ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.