ନୂଆଦିଲ୍ଲୀ ୩୧।୧: ଭାରତରେ ବାଘଙ୍କ ବିଚରଣ କ୍ଷେତ୍ର ବଢିବାରେ ଲାଗିଛି। ଗତ ୨ ଦଶନ୍ଧୀରେ ବାଘଙ୍କ ବିଚରଣ କ୍ଷେତ୍ରରେ ୩୦ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ବିଶ୍ୱରେ ବାଘଙ୍କ ଅକ୍ତିଆରରେ ଥିବା ଏପର୍ଯ୍ୟନ୍ତର ସବୁଠୁ ବଡ଼ କ୍ଷେତ୍ର। ଡେରାଡୁନସ୍ଥିତ ଭାରତୀୟ ବନ୍ୟଜୀବ ସଂସ୍ଥାନ ଓ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ, ନୂଆଦିଲ୍ଲୀଙ୍କ ଗବେଷକ ଏକ ଅଧ୍ୟୟନରେ ଏହି ସୂଚନା ଦେଇଛନ୍ତି। ଗବେଷକଙ୍କ ଅନୁସାରେ ଏବେ ଭାରତର ୧,୩୮,୨୦୦ ବର୍ଗ କିଲୋମିଟର ଅଞ୍ଚଳରେ ବାଘମାନେ ରହୁଛନ୍ତି।
ଜର୍ଣ୍ଣାଲ ସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ବାଘଙ୍କ ସଂଖ୍ୟା ବଢୁଛି। ଏହା ବଡ଼ ପଶୁଙ୍କ ସଂରକ୍ଷଣ ଲାଗି ଖାସ କରି ବିକାଶଶୀଳ ଦେଶମାନଙ୍କରେ ଏକ ସକରାତ୍ମକ ସଂକେତ। ତେବେ ଗବେଷକମାନେ ଏହାକୁ ସଞ୍ଜମିତ ଆଶାବାଦ ବୋଲି କହିଛନ୍ତି, ଯାହାର ଅର୍ଥ ଏହି ପ୍ରଗତି ଉତ୍ସହଜନକ ସତ ହେଲେ ଏବେବି ଅନେକ ଆହ୍ୱାନ ରହିଛି। ଅଧ୍ୟୟନ ଅନୁସାରେ ବାଘମାନେ ମଣିଷ ଦ୍ୱାରା ବ୍ୟବହୃତ ହେଉଥିବା କ୍ଷେତ୍ରରୁ ଦୂରରେ ଶିକାରରେ ଭରପୁର ଅଞ୍ଚଳରେ ମିଳନ୍ତି। ତେବେ ବାଘ ଏବେ ସେହି ଅଞ୍ଚଳରେ ବି ମିଳୁଛନ୍ତି ଯେଉଁ ଅଞ୍ଚଳରେ ଜନବସତୀ ଅଛି।
ଗବେଷକଙ୍କ ଅନୁସାରେ ଅଧ୍ୟୟନ ନିମନ୍ତେ ସେମାନେ ୩.୮ଲକ୍ଷ ବର୍ଗ କିଲୋମିଟରରୁ ଅଧିକ ବାଘଙ୍କ ଆବାସିକ ସ୍ଥାନର ବିଶ୍ଲେଷଣ କରିଛନ୍ତି। ସେମାନେ ଏଥି ଲାଗି ଜାତୀୟ ସ୍ତରରେ ବାଘ ନିରିକ୍ଷଣ ଡାଟା ମଧ୍ୟ ବ୍ୟବହାର କରିଛନ୍ତି। ଏହି ବିଶ୍ଲେଷଣରୁ ଗତ ଦୁଇ ଦଶନ୍ଧୀରେ ବାଘଙ୍କ କ୍ଷେତ୍ର ପ୍ରତିବର୍ଷ ୨,୯୨୯ ବର୍ଗ କିଲୋମିଟର ବୃଦ୍ଧି ହୋଇଛି। ଫଳରେ ବାଘଙ୍କ ମୋଟ ବୃଦ୍ଧି ୩୦ ପ୍ରତିଶତକୁ ପହଞ୍ଚିଛି। ଅଧ୍ୟୟନ ଅନୁସାରେ ୪୫ ପ୍ରତିଶତ ବାଘ ପାଖାପାଖି ୬ କୋଟି ଲୋକଙ୍କ ସହ ରହୁଛନ୍ତି। ଏବେବି ସମ୍ପୂର୍ଣ୍ଣ ମାନବ ମୁକ୍ତ ଓ ଶିକାରରେ ଭରପୁର ୩୫,୨୫୫ ବର୍ଗ କିଲୋମିଟର ଅଞ୍ଚଳରେ ବାଘଙ୍କ ବଂଶ ବୃଦ୍ଧି ହେଉଛି।