ନୂଆଦିଲ୍ଲୀ ୫।୧୨: ଦେଶରେ ଟମାଟର ଓ ଆଳୁ ମୂଲ୍ୟ ବୃଦ୍ଧି ଯୋଗୁ ନଭେମ୍ବର ମାସରେ ଘରେ ରୋଷେଇ କରାଯାଉଥିବା ନିରାମିଷ ଥାଳି ଗତ ବର୍ଷ ଏହି ସମୟ ତୁଳନାରେ ୭ ପ୍ରତିଶତ ମହଙ୍ଗା ହୋଇଛି। ରେଟିଂ ଏଜେନ୍ସୀ କ୍ରିସିଲର ମାସିକ ‘ଭାତ-ରୁଟି ଦର’ ରିପୋର୍ଟ ଅନୁସାରେ ନଭେମ୍ବର ମାସରେ ନିରାମିଷ ଥାଳି ମୂଲ୍ୟ ବାର୍ଷିକ ଆଧାରରେ ୭ ପ୍ରତିଶତ ବଢି ୩୨.୭ ଟଙ୍କା ହୋଇଯାଇଛି। ତେବେ କେବଳ ସାକାହାରୀ ନୁହେଁ ଆମିଷ ଥାଳି ମଧ୍ୟ ମହଙ୍ଗା ମାଡ଼ରୁ ବର୍ତ୍ତି ନାହିଁ। ଏହି ସମୟରେ ଆମିଷ ଥାଳି ଦରରେ ୨ ପ୍ରତିଶତ ବୃଦ୍ଧି ହୋଇଛି।
ସାକାହାରୀ ଥାଳି ମହଙ୍ଗା ହେବାର ଯେଉଁ କାରଣ କୁହାଯାଉଛି ତାହା ହେଉଛି ଆଳୁ ଓ ଟମାଟରର ମୂଲ୍ୟ ବୃଦ୍ଧି। ଏହି ସମୟରେ ଟମାଟର ଦରରେ ୩୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଆଳୁ ୫୦ ପ୍ରତିଶତ ମହଙ୍ଗା ହୋଇଛି। ଗତ ମାସରେ ଟମାଟର କେଜି ପିଛା ୫୩ ଟଙ୍କା ଦରରେ ବିକ୍ରି ହୋଇଥିଲା। ସେହିପରି ଆଳୁ କେଜି ପିଛା ଦର ହାରାହାରି ୩୭ ଟଙ୍କାକୁ ଛୁଇଁଥିଲା। ଏହା ଛଡା ଡାଲି ମୂଲ୍ୟରେ ମଧ୍ୟ ୧୦ ପ୍ରତିଶତ ବୃଦ୍ଧି ଦେଖାଯାଇଛି।
ତେବେ ରିପୋର୍ଟରେ କୁହାଯାଇଛି ଯେ ଡିସେମ୍ବର ମାସରେ ନୂଆ ଫସଲ ବଜାରକୁ ଆସିବା ଯୋଗୁ ଏହି ସବୁ ଉତ୍ପାଦର ଦର ହ୍ରାସ ହୋଇପାରେ। ନଭେମ୍ବର ମାସରେ ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁ ବନସ୍ପତି ତେଲ ମୂଲ୍ୟରେ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ତେବେ ଆଶ୍ୱସ୍ତିର କଥା ହେଉଛି ଇନ୍ଧନ ଦରରେ ୧୧ ପ୍ରତିଶତ ହ୍ରାସ ହୋଇଥିଲା। ଏଣୁ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଥାଳିର ମୂଲ୍ୟ ଉପରେ ଚାପ ହ୍ରାସ ହୋଇଥିଲା।
ଗତ ମାସରେ ମାଂସାହାରୀ ଥାଳି ମୂଲ୍ୟ ୨ ପ୍ରତିଶତ ବଢି ୬୧.୫ ଟଙ୍କା ହୋଇଯାଇଥିଲା। ଏହି ସମୟରେ ବ୍ରୟଲର କୁକୁଡା ଦର ୩ ପ୍ରତିଶତ ବଢିଥିଲା। ମାଂସାହାରୀ ଥାଳି ହିସାବରେ ବ୍ରୟଲରର ଭାରାଙ୍କ ୫୦ ପ୍ରତିଶତ। ତେବେ ଅକ୍ଟୋବର ମାସରେ ମାଂସାହାର ଥାଳି ଦର ସ୍ଥିର ଥିଲା। ଏହି ସମୟରେ ସାକାହାରୀ ଥାଳି ଦର ବି ଶସ୍ତା ଥିବାର ରିପୋର୍ଟରୁ ଜଣାପଡିଛି।