ମକର ମେଳା ପାଇଁ ଟି-ସେତୁରେ ଯାନବାହାନ କଟକଣା, ଭିଡକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

Published By : Prameya-News7 Bureau | January 11, 2025 IST

ଆଠଗଡ ୧୧/୦୧: ମକର ସଂକ୍ରାନ୍ତି ଅବସରରେ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଗ୍ରାମାଞ୍ଚଳ ପୁଲିସ୍‌ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଟି-ସେତୁ ଉପରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ କଟକଣା କରାଯାଇଛି । ଅନ୍ୟ ରାସ୍ତାରେ ଗାଡ଼ିମୋଟର ଗୁଡିକ ଯାତାୟାତ କରିବାକୁ ଜିଲ୍ଲା ଏସ୍‌ପିଙ୍କ କାର୍ଯ୍ୟାଳୟ ତରଫରୁ ନୋଟିସ୍‌ ଜାରି କରାଯାଇଛି । ଦୁଇବର୍ଷ ପୂର୍ବରୁ ମକର ମେଳା  ଅବସରରେ ଏଠାରେ ଦଳାଚକଟା ହେଇ ପ୍ରାଣହାନି  ହୋଇଥିଲା । ତେଣୁ ଏହି ଅଘଟଣର ଯେପରି  ପୁନାରୁବୃତ୍ତି ନହେବ ସେଥିପାଇଁ ଦୃଷ୍ଟି ଦିଆଯାଇଛି ।  

ଜାନୁଆରୀ ୧୪ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବଡମ୍ବା ସ୍ଥିତ ପ୍ରଭୁ ସିଂହନାଥ ପୀଠରେ ମକର ମେଳା ଉତ୍ସବର ଭବ୍ୟ ଆୟୋଜନ କରାଯାଉଛି । ଏହି ମେଳାରେ କଟକ ସମେତ ଅନ୍ୟାନ୍ୟ ଜିଲ୍ଲାରୁ ଦୁଇ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ସିଂହନାଥ ପୀଠକୁ ସଂଯୋଗ କରୁଥିବା ବୈଦେଶ୍ୱର-ବଡ଼ମ୍ୱା ଟି-ସେତୁ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପୋଲିସ୍‌ ଏସ୍‌ପି ପ୍ରତୀକ ସିଂ ନିର୍ଦ୍ଦେଶ ଦେଇଛନ୍ତି । ମକର ଯାତ୍ରାକୁ  ଦୃଷ୍ଟିରେ ରଖି ଉକ୍ତ ସେତୁ ଉପରେ ଯାନବାହନ ଯାତାୟାତ  ନିମନ୍ତେ କଟକଣା ଜାରି କରାଯିବା ସହ ନୟାଗଡ଼ ପଟୁ ବଡ଼ମ୍ୱା ଆସୁଥିବା ସମସ୍ତ ଯାନବାହନଗୁଡିକୁ ସିଦ୍ଧମୂଳ ସେତୁ ଦେଇ ବଡମ୍ୱା ଅଭିମୁଖେ ଗତି କରିବ । ସେହିଭଳି ବଡମ୍ୱା ପଟୁ ଭୁବନେଶ୍ୱର ଓ ଖୋର୍ଦ୍ଧା ଯାଉଥିବା ଯାନବାହନଗୁଡିକ ଜାତମୁଣ୍ଡିଆ ସେତୁ ଦେଇ ଗତି କରିବ ।  

ସୂଚନାଯୋଗ୍ୟ, ଟି-ସେତୁ ହେବା ପରଠାରୁ ମକର  ମେଳାରେ ପ୍ରତିବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିଚାଲିଛି । ଗତବର୍ଷ  ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁ ଏଠାକୁ ଆସିଥିଲେ । ତା’ପୂର୍ବବର୍ଷ ୨୦୨୩ ମସିହାରେ ମକର ମେଳା ଅବସରରେ ଏଠାରେ  ପ୍ରବଳ ଜନସମାଗମ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା । ଦଳଚକଟା ଯୋଗୁଁ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.