କୌଣସି ବି ପ୍ଲେନରେ ନ ବସି ୨୭ ଦେଶ ବୁଲି ଆସିଲେ ୨ ବନ୍ଧୁ, ଆଶ୍ଚର୍ଯ୍ୟ କରିବ ଟ୍ରାଭେଲ୍‌ କାହାଣୀ

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ ୧୩।୦୯: ସାରା ଦୁନିଆରେ ବୁଲିବା ଏବଂ ନୂଆ ଜିନିଷର ସନ୍ଧାନ କରିବା ବହୁତ ଲୋକଙ୍କର ରହିଥାଏ ସୌକ୍‌ । ଏଥିପାଇଁ ଲୋକମାନେ ଅନେକ ପ୍ଲାନ କରିଥାନ୍ତି । ଏପରି ହିଁ ୨ଟି ଜଣ ବନ୍ଧୁଙ୍କର ରହିଥିଲା ଦୁନିଆ ବୁଲିବାର ସୌକ୍‌ । ଏମାନେ ଏହାକୁ ପୂରଣ କରିବା ପାଇଁ ବାହାରିପଡିଲେ । କିନ୍ତୁ କିଛି ଆଶ୍ଚର୍ଯ୍ୟ ଭାବେ । ବାସ୍ତବରେ ଏହି ୨ ସାଙ୍ଗ ନିଜର ପୁରା ଯାତ୍ରା ସମୟରେ କୌଣସି ବି ବିମାନରେ ଯାଇନଥିଲେ । ଏମାନଙ୍କ କହିବା କଥା ହେଉଛି ବିମାନ ଯାତ୍ରା ନ କରିବା କାରଣରୁ କେବଳ ଯେ ସେମାନେ ପରିବେଶକୁ ସାହାଯ୍ୟ କରିଛନ୍ତି ତା ନୁହେଁ ବରଂ ସେମାନେ ଟଙ୍କା ମଧ୍ୟ ସଞ୍ଚୟ କରିଛନ୍ତି।

ଏମାନେ ୧୫ ମାସରେ ବୁଲିଛନ୍ତି ୨୭ ଦେଶ । ଜାଣି ଆଶ୍ଚର୍ଯ୍ୟ ହେବେ ଏମାନେ ଭ୍ରମଣ ଲାଗି ଥର ଟିଏ ମଧ୍ୟ ବିମାନରେ କରିନାହାନ୍ତି ଯାତ୍ରା । ୨ ବନ୍ଧୁ ହେଉଛନ୍ତି ଟୋମାସୋ ଫରିନମ୍‌ ଓ ଆଡ୍ରିଆନ ଲାଫୁଏଣ୍ଟେ । ଫରିନମ୍‌ ଇଟାଲି ଓ ଲାଫୁଏଣ୍ଟେ ସ୍ପେନ୍‌ର ବାସିନ୍ଦା । ଏମାନେ ବର୍ଷକ ପୂର୍ବରୁ ଆରମ୍ଭ କରିଥିଲେ ଏହି ଯାତ୍ରା । ସେମାନେ ଏହି ଯାତ୍ରାକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ । ଏହା ସହିତ ସେ ଏକ ଭିନ୍ନ ପ୍ରକାରର ଆବିଷ୍କାର ଉଦ୍ଦେଶ୍ୟରେ ଘରୁ ବାହାରିଥିଲେ । ୨୫ ବର୍ଷୀୟ ଫରିନମ୍ ଏବଂ ୨୭ ବର୍ଷୀୟ ଲାଫୁଏଣ୍ଟେ ସାରା ବିଶ୍ୱରେ ଭ୍ରମଣ କରିବାକୁ ଇଚ୍ଛା ରଖିଛନ୍ତି । 

ପରିବେଶରୁ ଅଙ୍ଗାରକାମ୍ଳ ହ୍ରାସ ନିମନ୍ତେ ଉଭୟ ପ୍ରତିଶ୍ରୁତିବଦ୍ଧ । ତେଣୁ ବିମାନ ଯାତ୍ରା ବଦଳରେ ସେମାନେ ଡଙ୍ଗାରେ ଯାତ୍ରା କରନ୍ତି ଏବଂ ଦୁହେଁ ପରିବେଶ ଅନୁକୂଳ ଯାତ୍ରାକୁ ଗ୍ରହଣ କରିଛନ୍ତି । ୨ ବନ୍ଧୁଙ୍କ କହିବା କଥା ହେଉଛି ଦୁହେଁ ୨୭ ଦେଶ ଭ୍ରମଣରେ ୬ ଲକ୍ଷ ୪୬ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିଛନ୍ତି । ବିମାନ ଯାତ୍ରା ଜରିଆରେ ଜଣେ ବ୍ୟକ୍ତି ଘଣ୍ଟାକୁ ୯୦ କିଲୋ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଦାୟୀ । ଏହାକୁ ଦୃଷ୍ଟିରେ ରଖି ଫରିମନ୍‌ ଓ ଲାଫୁଏଣ୍ଟେ ଭ୍ରମଣର ବିକଳ୍ପ ଚୟନ କରିଥିଲେ । ନୌକାଚାଳନାକୁ ଦୁଇ ବନ୍ଧୁ ଖୁବ୍‌ ଭଲପାଆନ୍ତି । ତେଣୁ ଏହାକୁ ସେ ପରିବେଶ ଅନୁକୂଳ ଯାତ୍ରାର ବିକଳ୍ପ ଭାବେ ଚୟନ କଲେ ।

ବିମାନ ବିନା ଦୁହେଁ ଗତ ବର୍ଷ ବିଶ୍ୱ ଭ୍ରମଣ କରିଥିବା କହିଛନ୍ତି । ତେବେ ଏ ନେଇ ଆଦୌ ଅନୁଭବ ନ ଥିବା ଦୁଇ ବନ୍ଧୁ ଯେତେବେଳେ ଆଟ୍‌ଲାଣ୍ଟିକ୍‌ରେ ନୌକାଚାଳନା ଲାଗି ନିଷ୍ପତ୍ତି ନେଲେ, ଏହା ଶୁଣି ଉଭୟଙ୍କ ପରିବାର ଚକିତ ହେଲେ । ପାନାମାର ଗଲ୍‌ଫରେ ପ୍ରଥମ ୧୦ ଦିନ ସେମାନଙ୍କ ପାଇଁ ଅତ୍ୟନ୍ତ ଭୟଙ୍କର ଥିଲା । ସେମାନଙ୍କୁ ଝଡ଼, ପବନ ଓ ଭୟଙ୍କର ଲହରିର ସମ୍ମୁଖୀନ ହେବାକୁ ପଡ଼ିଲା । ଅନେକ ବିପରୀତ ପରିସ୍ଥିତିର ସମ୍ମୁଖୀନ ହୋଇ ସୁଦ୍ଧା ଦୁହେଁ ପ୍ରଶାନ୍ତ ମହାସାଗରକୁ ଅତିକ୍ରମ କରି ଅଷ୍ଟ୍ରେଲିଆରେ ପହଞ୍ଚିଲେ । ଏହାରି ମଧ୍ୟରେ ସେମାନେ ଅନେକ ଦ୍ୱୀପରେ ଅଟକିଥିଲେ । ତେବେ ଲୋକଙ୍କୁ ପ୍ରେରିତ କରିବା ହେଉଛି ଏହି ଦୁଇ ବନ୍ଧୁଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.