‘ପୁଟିନ ଯୁଦ୍ଧ ଶେଷ କରିବାକୁ ଚାହୁଁନଥିବା ସନ୍ଦେଶ ହେଉଛି’; ଜେଲେନସ୍କିଙ୍କ ସହ ବୈଠକ ପରେ ବଡ଼ ବୟାନ ଦେଲେ ଟ୍ରମ୍ପ

Published By : Prameya-News7 Bureau | April 26, 2025 IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସମାଲୋଚନା କରିଛନ୍ତି । ଶନିବାର ସେ କହିଛନ୍ତି ଯେ କ୍ରେମଲିନ୍ ପ୍ରକୃତରେ ୟୁକ୍ରେନ ସହ ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛି କି ନାହିଁ ସେନେଇ ସନ୍ଦେହ ହେଉଛି । ନଚେତ କଠୋର ପଦକ୍ଷେପ ନେବାର ଆବଶ୍ୟକତା ପଡ଼ିପାରେ ବୋଲି ସେ କହିଛନ୍ତି ।

ଟ୍ରୁଥ୍ ସୋସିଆଲରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, "ଗତ କିଛି ଦିନ ଧରି ପୁଟିନଙ୍କ ଦ୍ୱାରା ଆବାସିକ ଅଞ୍ଚଳ, ସହର ଏବଂ ଘରଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିବାର କୌଣସି କାରଣ ନଥିଲା । ଲାଗୁଛି ପୁଟିନ ଏହି ଯୁଦ୍ଧ ରୋକିବାକୁ ଚାହୁଁନାହାନ୍ତି । ସେ କେବଳ ମୋତେ ଟ୍ରାପ୍ କରୁଛନ୍ତି, ଅଲଗା ଉପାୟରେ ଡିଲ୍ କରିବାକୁ ପଡ଼ିବ । 'ବ୍ୟାଙ୍କିଙ୍ଗ' କିମ୍ବା 'ସେକେଣ୍ଡାରୀ କଟକଣା' ମାଧ୍ୟମରେ ଭିନ୍ନ ଭାବରେ ମୁକାବିଲା କରିବାକୁ ପଡିବ ? ବହୁତ ଲୋକ ମରୁଛନ୍ତି !!!"

ଇଟାଲୀରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବା ପରେ ଟ୍ରମ୍ପ ଏହି ପୋଷ୍ଟ କରିଛନ୍ତି । ଦୁଇ ନେତା ଇଟାଲୀର ରାଜଧାନୀ ରୋମରେ ପୋପ୍ ଫ୍ରାନ୍ସିସଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ସମୟ ଯାଏ ଦ୍ୱିପାକ୍ଷିକ ବର୍ତ୍ତା ହୋଇଥିଲା ।

ଏହି ଆଲୋଚନା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଆମେ ଗୋଟେ-ଗୋଟେ କରି ଅନେକ ଚର୍ଚ୍ଚା କରିଲୁ । ଆମେ ଯେଉଁ ସବୁ ଆଲୋଚନା କରିଛୁ, ସେଥିରୁ ସାର୍ଥକ ପରିଣାମର ଆଶା ରହିଛି । ନିଜ ଲୋକଙ୍କ ଜୀବନ ରକ୍ଷା କରିବା । ପୂର୍ଣ୍ଣ ଓ ବିନା ସର୍ତ୍ତରେ ଯୁଦ୍ଧବିରତି । ବିଶ୍ୱସନୀୟ ଓ ସ୍ଥାୟୀ ଶାନ୍ତି ଯାହା ଆଉ ଏକ ଯୁଦ୍ଧ ଆରମ୍ଭକୁ ଅଟକାଇବ । ଯଦି ଆମେ ସଂଯୁକ୍ତ ପରିଣାମ ହାସଲ କରୁ, ତେବେ ଏହି ବୈଠକ ଐତିହାସିକ ହେବ ।'



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.