ଓଟିଇଟି ପ୍ରଶ୍ୱପତ୍ର କେଳେଙ୍କାରୀ ମାମଲା, ରିମାଣ୍ଡରେ ଯିବେ ଆଉ ଦୁଇ ଅଭିଯୁକ୍ତ

Published By : Prameya-News7 Bureau | August 21, 2025 IST

କଟକ ୨୧।୦୮ : ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲା । ଗିରଫ ଅଭିଯୁକ୍ତ ରାମ୍‌ଜୀ ପ୍ରସାଦ ଗୁପ୍ତା ଓ ସନାତନ ବିଶୋଇଙ୍କୁ ରିମାଣ୍ଡରେ ଆଣି ଜେରା କରିବ କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ପ୍ରଘଟରେ ଏମାନଙ୍କର କେଉଁ ଭୂମିକା ଥିଲା ? କିଭଳି ଏହି କାରବାର ସଂପୃକ୍ତ ହେଲେ ? ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସଂପୃକ୍ତ ରହିଛନ୍ତି । ସେନେଇ ଜେରା କରିବ କ୍ରାଇମବ୍ରାଞ୍ଚ। ପ୍ରାୟ ୬ ଜଣଙ୍କୁ ଏହି ଜେରା ସମୟରେ ପଚରାଉଚରା କରାଯିବ। ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡ୍‌ରେ ଆଣି ଜେରା କରି ଛାଡ଼ିବା ପରେ ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ରିମାଣ୍ଡ୍‌ରେ ଆଣିବା ପାଇଁ ଯୋଜନା ରହିଛି। ବୋର୍ଡ କାର୍ଯ୍ୟାଳୟର ଆହୁରି କେତେକ କର୍ମଚାରୀ ଓ ଏକ୍ସ କ୍ୟାଡର୍‌ ଶିକ୍ଷକ ସଂଘ ନେତା ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନରରେ ରହିଛନ୍ତି ।

ସେହିପରି ନିକଟରେ  ଦୁଇଦିନିଆ ରିମାଣ୍ଡରେ ଆସିଥିବା ଡାଟା ଏଣ୍ଟ୍ରି ଅପରେଟର  ଜିତନ ମହାରଣା ଓ ରାୟଗଡ଼ା ଜିଲ୍ଲାର ଏକ୍ସକ୍ୟାଡର୍‌ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମିଶ୍ରଙ୍କୁ ଜେରା ସମୟରେ କିଛି ଠୋସ୍‌ ତଥ୍ୟ ମିଳିଥିଲା । ଅଭିଯୁକ୍ତ ଦ୍ୱୟଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଜେଲ୍‌ରେ ଥିବା କୋରାପୁଟ ଜିଲ୍ଲା କୁନ୍ଦ୍ରା ଥାନା ସାଗରଗୁଡ଼ା ଗ୍ରାମର ସନାତନ ବିଶୋଇ (୫୧) ଓ କଟକ ବାଦାମବାଡ଼ି ନାରାୟଣ ଲେନ୍‌ ଅଞ୍ଚଳର ଦଲାଲ୍‌ ରାମ୍‌ଜୀ ପ୍ରସାଦ ଗୁପ୍ତା (୫୧)ଙ୍କୁ କ୍ରାଇମ୍‌ବ୍ରାଞ୍ଚ ରିମାଣ୍ଡ୍‌ରେ ଆଣିବ । ଅଭିଯୁକ୍ତ ବିଶୋଇ ଓ ଗୁପ୍ତାକୁ ଦୁଇଦିନିଆ ରିମାଣ୍ଡ୍‌ରେ ଆଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ କଟକ ଜେଏମ୍‌ଫ୍‌ସି-୩ କୋର୍ଟରେ ଆବେଦନ କରିଥିଲା । କୋର୍ଟ ଏହାର ଶୁଣାଣି କରି ଅଭିଯୁକ୍ତ ଦ୍ୱୟଙ୍କୁ ଗୋଟିଏ ଦିନ ରିମାଣ୍ଡରେ ନେବାପାଇଁ ଅନୁମତି ପ୍ରଦାନ କରିଥିଲେ ।ଆଜି ଉଭୟ ଅଭିଯୁକ୍ତଙ୍କୁ ରିମାଣ୍ଡ ଆଣି ଜେରା କରିବ କ୍ରାଇମ୍‌ବ୍ରଞ୍ଚ ।

ଜିତନ ଓ ବିଜୟଙ୍କୁ ରିମାଣ୍ଡରେ ଆଣିବା ମଧ୍ୟରେ  କ୍ରାଇମ୍‌ବ୍ରାଞ୍ଚ୍‌କୁ ବୋର୍ଡ କାର୍ଯ୍ୟାଳୟରୁ ପ୍ରଶ୍ନ ଲିକ୍‌ ଘଟଣାରେ କମ୍ପ୍ୟୁଟର ଓ ପୁଳାଏ ପେନ୍‌ ଡ୍ରାଇଭ୍‌ ଜବତ ହୋଇଥିଲା ।  ଯାହାକି ଅଭିଯୁକ୍ତମାନଙ୍କ ବିରୋଧରେ ଅଦାଲତରେ ବଳିଷ୍ଠ ପ୍ରମାଣ ହେବ । ନିହାରଙ୍କ ଲାପ୍‌ଟପ୍‌ରୁ ଜିତନ୍‌ ପ୍ରଶ୍ନ ନେଇ ପ୍ରଥମେ ବିଜୟଙ୍କ ଭାଇ ପାଖରେ ନୟାଗଡ଼ରେ ପହଞ୍ଚାଇଥିଲା । ବିଜୟ ପ୍ରଶ୍ନ ନେଇ ସନାତନ ଓ  ରାମଜୀ ସମେତ ଅନ୍ୟ କାହା ପାଖରେ ପହଞ୍ଚାଇଥିଲା  ଏବଂ କେତେ ଟଙ୍କା କାରବାର ହୋଇଥିଲା ତାହାର  ପ୍ରମାଣ ଏବେ କ୍ରାଇମ୍‌ବ୍ରାଞ୍ଚ ଖୋଜି ବାହାର କରିବ । ଅନ୍ୟପକ୍ଷରେ ରାମଜୀ ଗୁପ୍ତା ପେସାଦାର ଦଲାଲ୍‌ ଭାବେ   ପ୍ରଶ୍ନ ବିକ୍ରି କରେ ବୋଲି କ୍ରାଇମ୍‌ବ୍ରାଞ୍ଚ୍‌ ଡିଜି ଆରମ୍ଭରୁ  କହିଆସୁଛନ୍ତି । ରାମଜୀ କଟକରେ ରହୁଥିବାରୁ ବୋର୍ଡର  ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହ ତାର ଲିଙ୍କ୍‌ ଥିବା  କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି । ଏଯାଏ କ୍ରାଇମ୍‌ବ୍ରାଞ୍ଚ୍‌ ୮  ଜଣଙ୍କୁ ଗିରଫ କରିଥିଲେ ହେଁ ଆହୁରି କିଛି ଶିକ୍ଷକ ଗିରଫ ହେବାର ସମ୍ଭାବନା ରହିଛି ବୋଲି ସୂଚନା ମିଳୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.