ଜମ୍ମୁ-କାଶ୍ମୀର: ରାମବନ ଜିଲ୍ଲାରେ ଆସିଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏବେ ବି ରେସକ୍ୟୁ ଅପରେସନ ଜାରି ରହିଛି । ଏପଟେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଟ୍ରାଫିକ୍ ଜାମ୍ ଲାଗିଛି । ହଜାର ହଜାର ସଂଖ୍ୟାରେ ଯାତ୍ରୀ ଗାଡ଼ି ସହିତ ଫସି ରହିଛନ୍ତି । ତେବେ ସେମାନଙ୍କ ନିକଟରେ ଖାଦ୍ୟ ଓ ପାନୀୟ ପହଞ୍ଚାଇଛି ଭାରତୀୟ ସେନା ।
ରବିବାର ରାମବାନ ଜିଲ୍ଲାରେ ବାଦଲ ଫାଟିବା ଯୋଗୁ ଭୂସ୍ଖଳନ ହୋଇଥିଲା । ଫଳରେ ନଦୀ ଗୁଡ଼ିକରେ ବନ୍ୟା ଆସିବା ସହିତ ପାହାଡ଼ରୁ ବାହୁମାତ୍ରାରେ ଧ୍ବଂସାବଶେଷ ଜମ୍ମୁ-ଶ୍ରୀନଗର ହାଇଓ୍ବେରେ ଜମିଯାଇଥିଲା । ପ୍ରକୃତିର ଏହି କୋପରେ ରାମବନର ପ୍ରାୟ ଡଜନେ ଗାଁ ପ୍ରଭାବିତ ହୋଇଛି । ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ କ୍ଷୟକ୍ଷତି ଘଟିଛି । ୨୪ ଘଣ୍ଟା ପରେ ବି ସ୍ଥାନୀୟ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏନଡିଆରଏଫ, ଏସଡିଆରଏଫ, ସିବିଲ୍ ସୋସାଇଟ୍ ଏବଂ ସାମାଜିକ ସଂଗଠନ ରେସକ୍ୟୁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ଭାରତୀୟ ସେନା ହାଇଓ୍ବେର ଉଭୟ ପାର୍ଶ୍ବରେ ଫସି ରହିଥିବା ଯାତ୍ରୀମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ସେମାନଙ୍କ ନିକଟରେ ଖାଦ୍ୟ ଓ ପାନୀୟ ଜଳ ପହଞ୍ଚାଇଛି ।
ସୋମବାର ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦ୍ଦୁଲା ରାମବନ ଜିଲ୍ଲା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି । ଜାମ୍ମୁର ମଣ୍ଡଲାୟୁକ୍ତ ରମେଶ କୁମାର ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚଛି ଉଦ୍ଧାରକାର୍ଯ୍ୟର ସମୀକ୍ଷା କରିବା ସହିତ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି । ଅନ୍ୟପଟେ ନ୍ୟାଶନାଲ କନଫ୍ରେଂସର ଅଧ୍ୟକ୍ଷ ଫାରୁକ୍ ଅବଦ୍ଦୁଲା ଜାତୀୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିବା ସହ କେନ୍ଦ୍ର ସରକାରଙ୍କ ସହାୟତା ଅପିଲ୍ କରିଛନ୍ତି ।