ନୂଆଦିଲ୍ଲୀ, ୩୦/୦୬: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ସାମିଲ୍ ପାଇଁ ଭାରତର ଦାବିକୁ ସମର୍ଥନ ଦେଲା ବ୍ରିଟେନ। ଜାତିସଂଘର ସ୍ଥାୟୀ ସଦସ୍ୟତା ନିୟମରେ ସଂଶୋଧନ ପାଇଁ ଭାରତ ସରକାରଙ୍କ ସଂଶୋଧନ ଦାବିକୁ ସମର୍ଥନ କରିବା ସହ ଏହା ନିଜର ଅନ୍ତରାଷ୍ଟ୍ରୀୟ ପ୍ରାଥମିକତା ବୋଲି କହିଛି ବ୍ରିଟେନ।
ସୂଚନାଯୋଗ୍ୟ, ବର୍ତ୍ତମାନ ୟୁଏନଏସସିରେ ପାଞ୍ଚ ସ୍ଥାୟୀ ସଦସ୍ୟ ଅଛନ୍ତି- ଚୀନ, ଫ୍ରାନ୍ସ, ରୁଷ, ବ୍ରିଟେନ ଏବଂ ଆମେରିକା। ୟୁଏନଏସିର ସ୍ଥାୟୀ ସଦସ୍ୟଙ୍କ ପାଖରେ କୌଣସି ବି ପ୍ରସଙ୍ଗରେ ଠୋସ୍ ପ୍ରସ୍ତାବ ଏବଂ ଭିଟୋ ଆଣିବାର ଅଧିକାର ରହିଛି।
ବ୍ରିଟେନ୍ ତରଫରୁ କୁହାଯାଇଛି ଯେ, ଭାରତ ମିଳିତ ଜାତିସଂଘ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC)ରେ ସଂଶୋଧନ ପାଇଁ ବର୍ଷ ବର୍ଷ ଧରି ଚାଲିଥିବା ପ୍ରୟାସରେ ସବୁଠୁ ଆଗରେ ରହିଛି। ଆଉ ସେ ମିଳିତ ଜାତିସଂଘର ସ୍ଥାୟୀ ସଦସ୍ୟ ଭାବରେ ସ୍ଥାନ ପାଇଁ ଉଚିତ୍ ହକଦାର ମଧ୍ୟ।
ଗୁରୁବାର, ଲଣ୍ଡନରେ ଚୈଥମ ହାଉସ ଥିଙ୍କ ଟ୍ୟାଙ୍କ୍ ସହ ଜଡ଼ିତ ଏକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ବ୍ରିଟେନର ବିଦେଶ ମନ୍ତ୍ରୀ ଜେମ୍ସ କ୍ଲିଭରଲୀ। ଏହା ସହ ସେ ଏହି ପ୍ରସଙ୍ଗରେ ଏକ ନୂଆ ବହୁପକ୍ଷୀୟ ପ୍ରଣାଳୀ ଆଣିବାକୁ ଆହ୍ବାନ କରିଛନ୍ତି ।
ମୋର ପାଞ୍ଚ ଅନ୍ତରାଷ୍ଟ୍ରୀୟ ପ୍ରାଥମିକତା ରହିଛି: ଜେମ୍ସ କ୍ଲିଭରଲୀ
ଜେମ୍ସ କ୍ଲିଭରଲୀ କହିଛନ୍ତି ‘‘ଏହା ସମୟର ଆବଶ୍ୟକତା । ଦୁନିଆର ଆର୍ଥିକ କେନ୍ଦ୍ର ୟୁରୋ-ଆଟଲାଣ୍ଟିକ୍ରୁ ବାହାରି ଭାରତ-ପ୍ରଶାନ୍ତ କ୍ଷେତ୍ର ଆଡ଼କୁ ବଢ଼ୁଛି। କିନ୍ତୁ ଏହି କ୍ଷେତ୍ରର ବହୁପକ୍ଷୀୟ ସଂସ୍ଥାନଙ୍କୁ ଏ ପର୍ଯ୍ୟନ୍ତ ଉଚିତ ସ୍ଥାନ ମିଳିପାରିନାହିଁ।’’ ସେ କହିଛନ୍ତି ‘‘ମୋର ପାଞ୍ଚ ଅନ୍ତରାଷ୍ଟ୍ରୀୟ ପ୍ରାଥମିକତା ରହିଛି। ଯେଉଁଥିରେ ପ୍ରଥମ ହେଉଛି ମିଳିତ ରାଷ୍ଟ୍ର ସୁରକ୍ଷା ପରିଷଦରେ ସଂଶୋଧନ।’’
ସେହିପରି, ଦ୍ଵିତୀୟ ଅନ୍ତାରାଷ୍ଟ୍ରୀୟ ପ୍ରାଥମିକତା ହେଉଛି ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ଭାବରେ ଆଫ୍ରିକା ଏବଂ ଭାରତ, ବ୍ରାଜିଲ, ଜର୍ମାନୀ ଏବଂ ଜାପାନକୁ ସାମିଲ କରିବା।
ସେ ଆହୁରି କହିଛନ୍ତି ‘‘ମୁଁ ଜାଣିଛି ଯେ ଏହା ଏକ ସୁଧାର। କିନ୍ତୁ ଏହା ୨୦୨୦ ଦଶକରେ ସୁରକ୍ଷା ପରିଷଦରେ ଏକ ନୂଆ ଯୁଗର ଆରମ୍ଭ କରିବ। ୟୁଏନଏସିର ପ୍ରଥମରୁ ମଧ୍ୟ ବିସ୍ତାର ହୋଇଛି କିନ୍ତୁ ୧୯୬୫ ପରି ହେଉନାହିଁ। ମୋର ଦ୍ବିତୀୟ ପ୍ରାଥମିକତା ଅନ୍ତରାଷ୍ଟ୍ରୀୟ ଆର୍ଥିକ ସଂସ୍ଥାନରେ ସୁଧାର କରିବା। ଏହା ଜଳବାୟୁ, ଆର୍ଥିକ, ପୋଷଣ ଏବଂ ନିଶ୍ଚିତ ଭାବରେ ଗରିବି ହ୍ରାସ ଆଣିବା ପାଇଁ ଜରୁରୀ।''
ବ୍ରିଟେନ ମନ୍ତ୍ରୀ ବିଶ୍ବ ମଞ୍ଚରେ ଗରିବ ଦେଶଙ୍କ ପ୍ରତିନିଧିତ୍ବ କରିବା ଏବଂ ଜି-୨୦ର ଅଧ୍ୟକ୍ଷତା ସହ ଭାରତର ନେତୃତ୍ବକାରୀ ଭୂମିକାକୁ ପ୍ରଶଂସା କରିଛନ୍ତି।