ନୋବେଲ ଶାନ୍ତି ପୁରସ୍କାର ବଦଳରେ ମଧ୍ୟାହ୍ନ ଭୋଜନ, ଟ୍ରମ୍ପ କାହିଁକି ଅସୀମ ମୁନିରଙ୍କୁ କଲେ ନିମନ୍ତ୍ରଣ?

Published By : Prameya-News7 Bureau | June 19, 2025 IST

ନୂଆଦିଲ୍ଲୀ ୧୯/୦୬: ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ । ରାଷ୍ଟ୍ରପତି ଟ୍ରମ୍ପ ହ୍ୱାଇଟ୍ ହାଉସରେ ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଭାରତ ସମେତ ସମଗ୍ର ବିଶ୍ୱ ମୁନିର ଓ ଟ୍ରମ୍ପଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ଉପରେ ନଜର ରଖିଥିଲା। ଭାରତରେ ପ୍ରଶ୍ନ ହେଉଥିଲା କି, ଆମ ସହ ଭଲ ସମ୍ପର୍କ ରଖିଥିବା ଟ୍ରମ୍ପ କାହିଁକି ଶତ୍ରୁ ଦେଶର ସେନା ମୁଖ୍ୟଙ୍କୁ ଏତେ ଗୁରୁତ୍ୱ ଦେଉଛନ୍ତି । 

ଉଭୟଙ୍କ ମଧ୍ୟରେ ସାକ୍ଷାତ ପରେ ଏହି ବଡ଼ ପ୍ରଶ୍ନର ଉତ୍ତର ମଧ୍ୟ ମିଳିଗଲା। ହ୍ୱାଇଟ୍ ହାଉସ ସ୍ପଷ୍ଟ କରିଥକିଲା କି, ମୁନିରଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ କାହିଁକି ନିମନ୍ତ୍ରଣ କରାଯାଇଥିଲା। ହ୍ୱାଇଟ୍ ହାଉସ କହିଛି ଯେ ଜେନେରାଲ ଅସୀମ ମୁନିରଙ୍କ ସହିତ ଟ୍ରମ୍ପଙ୍କ ମଧ୍ୟାହ୍ନ ଭୋଜନ ସ୍ଥିର ହୋଇଥିଲା । କାରଣ ସେ (ମୁନିର) ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ଅପିଲ କରିଥିଲେ।

ଏହି ବୈଠକ ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ମୁଁ ତାଙ୍କୁ ଏଠାକୁ ଡାକିଥିଲି କାରଣ ସେ ଯୁଦ୍ଧ ସମାପ୍ତ କରିଥିବାରୁ ଧନ୍ୟବାଦ ଦେବାକୁ ଚାହୁଁଥିଲି । ପ୍ରଧାନମନ୍ତ୍ରୀ ମୋଦି କିଛି ସମୟ ପୂର୍ବରୁ ଏଠାରୁ ଚାଲିଯାଇଥିଲେ । ଆମେ ଭାରତ ଓ ପାକିସ୍ତାନ ସହିତ ଏକ ବାଣିଜ୍ୟ ଚୁକ୍ତି ଉପରେ କାମ କରୁଛୁ । ମୁଁ ବହୁତ ଖୁସି। ଦୁଇ ଜଣ ବହୁତ ଜ୍ଞାନୀ ବ୍ୟକ୍ତି ଯୁଦ୍ଧ ଜାରି ନ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଦୁଇଟି ବଡ଼ ପରମାଣୁ ଶକ୍ତିଶାଳୀ। ଆଜି ସେମାନଙ୍କୁ ଭେଟି ମୁଁ ସମ୍ମାନିତ ଅନୁଭବ କରୁଛି।

ଟ୍ରମ୍ପ କହିଥିଲେ ଯେ ମୁଁ ଯୁଦ୍ଧ ବନ୍ଦ କରିଦେଇଛି। ମୁଁ ପାକିସ୍ତାନକୁ ଭଲ ପାଏ। ମୁଁ ଭାବୁଛି ମୋଦି ଜଣେ ଚମତ୍କାର ବ୍ୟକ୍ତି। ମୁଁ ତାଙ୍କ ସହିତ କଥା ହୋଇଥିଲି। ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଏକ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛୁ। ମୁଁ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ବନ୍ଦ କରିଦେଇଛି। ଏହି ବ୍ୟକ୍ତି (ଅସିମ ମୁନିର) ପାକିସ୍ତାନ ପକ୍ଷରୁ ଏହାକୁ ବନ୍ଦ କରିବାରେ ଏବଂ ପ୍ରଧାନମନ୍ତ୍ରୀ ମୋଦି ଭାରତ ପକ୍ଷରୁ ଏହାକୁ ବନ୍ଦ କରିବାରେ ବହୁତ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିଲେ। ଉଭୟ ପରମାଣୁ ସମୃଦ୍ଧ ଦେଶ। ମୁଁ ଦୁଇଟି ପ୍ରମୁଖ ପରମାଣୁ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ବନ୍ଦ କରିଦେଇଛି।

ମୁନିରଙ୍କୁ ନିମନ୍ତ୍ରଣ କରିବା ୱାଶିଂଟନ୍ ଦ୍ୱାରା ଜଣେ କାର୍ଯ୍ୟରତ ପାକିସ୍ତାନୀ ସେନାମୁଖ୍ୟଙ୍କୁ ଦିଆଯାଇଥିବା ଏକ ବଡ଼ ସଙ୍କେତ ବୋଲି ବିବେଚନା କରାଯାଇଥିଲା। ପାକିସ୍ତାନୀ ସେନାମୁଖ୍ୟ ଆୟୁବ ଖାନ, ଜିଆ ଉଲ-ହକ ଏବଂ ପରଭେଜ ମୁଶାରଫଙ୍କ ଭଳି ଅନେକ ଉଦାହରଣ ଅଛି ଯେଉଁଠାରେ ପାକିସ୍ତାନୀ ସେନାମୁଖ୍ୟମାନେ ଏପରି ନିମନ୍ତ୍ରଣ ପାଇଥିଲେ, କିନ୍ତୁ ସେମାନେ ରାଷ୍ଟ୍ରପତି ପଦବୀରେ ମଧ୍ୟ ଥିଲେ। 

ଗତ ମାସରେ ପାକିସ୍ତାନ ସରକାର ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀରେ ପଦୋନ୍ନତି ଦେଇଥିଲେ ଏବଂ ୧୯୫୯ ମସିହାରେ ଆୟୁବ ଖାନଙ୍କ ପରେ ପ୍ରଥମ ଥର ପାଇଁ କୌଣସି ସେନା ଅଧିକାରୀଙ୍କୁ ଏହି ପଦବୀ ଦିଆଯାଇଛି। ପାକ୍ ଗଣମାଧ୍ୟମ ଅନୁସାରେ, ମୁନିର ତାଙ୍କ ଆମେରିକା ଗସ୍ତ ସମୟରେ ପାକିସ୍ତାନକୁ ଏକ ସଭ୍ୟ ରାଷ୍ଟ୍ର ପରି ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ସେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଆମେରିକାର ପ୍ରୟାସକୁ ମଧ୍ୟ ସମର୍ଥନ କରିଥିଲେ। ମୁନିର କହିଥିଲେ, ଆମେ ଚାହୁଁଛୁ ଯେ ଏହି ଯୁଦ୍ଧ ତୁରନ୍ତ ଶେଷ ହେଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.