ଋଷ ପାଇଁ ୪ ଭାରତୀୟ କମ୍ପାନୀ ଉପରେ କଟକଣା ଲଗାଇଲା ଆମେରିକା

Published By : Prameya-News7 Bureau | October 31, 2024 IST

financialexpress.com

ନୂଆଦିଲ୍ଲୀ: ଋଷ ପାଇଁ ଭାରତର ୪ କମ୍ପାନୀ ଉପରେ କଟକଣା ଲଗାଇଲା ଆମେରିକା। ୟୁକ୍ରେନରେ ଋଷର ଯୁଦ୍ଧକୁ ସମର୍ଥନ କରିଥିବା ଅଭିୟୋଗ କରି ବୁଧବାର ଆମେରିକା ୪ ଭାରତୀୟ କମ୍ପାନୀ ସମେତ ବିଭିନ୍ନ ଦେଶର ପ୍ରାୟ ୪୦୦ରୁ ଅଧିକ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ଏହିସବୁ କମ୍ପାନୀ ଋଷକୁ ଯୁଦ୍ଧ ବିମାନ ସମ୍ପର୍କିତ ସାମଗ୍ରୀ ରପ୍ତାନୀ କରିଥିଲେ ବୋଲି ଆମେରିକା ଅଭିଯୋଗ କରିଛି। ତେବେ ଭାରତ ଉପରେ ଆମେରିକାର କଟକଣା ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ଭାରତ ଆମେରିକାର ପ୍ରତିବନ୍ଧକ ସାମ୍ନା କରିଛି। ତେବେ ଏହା ତୃତୀୟ ଥର ପାଇଁ ହୋଇଛି। ଏନେଇ ଆମେରିକା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ସୂଚନା ଦେଇଛନ୍ତି। 

ପ୍ରବକ୍ତା କହିଛନ୍ତି “ଋଷର ବେଆଇନ ଯୁଦ୍ଧର ଦୋଷୀ ବୋଲି ବିଚାର କରି ଆମେରିକା ଆଜି ପ୍ରାୟ ୪୦୦ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ଉପରେ କଟକଣା ଲଗାଇଛି। ଏଥିରେ ବୈଦେଶିକ ବ୍ୟାପାର ବିଭାଗ୧୨୦ ରୁ ଅଧିକ ବ୍ୟକ୍ତି ଏବଂ ସଂସ୍ଥା ଉପରେ କଟକଣା ଲାଗୁ କରୁଛି।” ସେହିପରି ଏକାସାଙ୍ଗରେ, ଟ୍ରେଜେରୀ ବିଭାଗ ୨୭୦ରୁ ଅଧିକ ବ୍ୟକ୍ତି ଏବଂ ସଂସ୍ଥାକୁ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ବାଣିଜ୍ୟ ବିଭାଗ ମଧ୍ୟ ୪୦ ଟି ସଂସ୍ଥା ଓ ବ୍ୟକ୍ତି ଉପରେ କଟକଣା ଲାଗୁ କରିଛି। 

ଆମେରିକା ପ୍ରତିବନ୍ଧକ ଲଗାଇଥିବା ଭାରତୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ଆସେଣ୍ଡ ଆଭିଏସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ରହିଛି। ଏହି କମ୍ପାନୀ ମାର୍ଚ୍ଚ ୨୦୨୩ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରୁଷ କମ୍ପାନୀକୁ ୭୦୦ରୁ ଅଧିକ ଯୁଦ୍ଧ ବିମାନ ସମ୍ପର୍କିତ ସାମଗ୍ରୀ ପଠାଇଥିଲା। ଯାହା ୨୦୦ ଡଲାର ମୂଲ୍ୟର ହେବ ବୋଲି ଆମେରିକାର କହିଛି। 

ସେହିପରି ଆଉ ଏକ ଭାରତୀୟ କମ୍ପାନୀ ମାସ୍କ ଟ୍ରାନ୍ସକୁ ମଧ୍ୟ କଟକଣା କରାଯାଇଛି। ଏହି କମ୍ପାନୀ ଜୁନ ୨୦୨୩ରୁ ଏପ୍ରିଲ ୨୦୨୪ ମଧ୍ୟରେ ଆମେରିକାର ନିର୍ମିତ S7 ENGINEERING LLC ଓ ଅନ୍ୟାନ୍ୟ ବେସାମରିକ ଯନ୍ତ୍ରପାତୀ ଋଷକୁ ରପ୍ତାନୀ କରିଛି। ଯାହାର ମୂଲ୍ୟ ୩୦ ହଜାର ଡଲାର ହେବ। 

ଅନ୍ୟ ଏକ ଭାରତୀୟ କମ୍ପାନୀ TSMD ଗ୍ଲୋବାଲ୍ ପ୍ରାଇଭେଟ ଲିମିଟେଡ୍ ମଧ୍ୟ ଋଷକୁ ୪୩୦,୦୦୦ ଡଲାର ବିମାନ ସମ୍ପର୍କିତ ଆଇଟମ ସହ ଇଲେକ୍ଟ୍ରୋନ କମ୍ପୋନେଣ୍ଟ ଯୋଗାଇଥିଲା।  ଭାରତୀୟ କମ୍ପାନୀ ଫୁଟ୍ରେଭୋ ମଧ୍ୟ ଋଷକୁ ୧.୪ ମିଲିଅନ ଡଲାରର ବିମାନ ସାମଗ୍ରୀ ରପ୍ତାନୀ କରିଥିଲା। ଏହି ୪ କମ୍ପାନୀକୁ ଆମେରିକା କଟକଣା ପରିସରରେ ରଖିଛି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.