ଇସ୍ରାଏଲ୍ ଉପରେ ପାଲଟା ଆକ୍ରମଣ କରିବ ଇରାନ, ରିପୋର୍ଟରେ ଦାବି-ଆମେରିକା ନିର୍ବାଚନ ପୂର୍ବରୁ କରିପାରେ ହମଲା

Published By : Prameya-News7 Bureau | October 31, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ପକ୍ଷରୁ ଗତ ଶନିବାର ହୋଇଥିବା ଆକ୍ରମଣ ପରେ ତେହରାନ ଏବେ ପ୍ରତିଶୋଧ ନେବାକୁ ଯାଉଛି । ଇରାନ ପାଲଟା ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଏବଂ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଅର୍ଥାତ୍ ନଭେମ୍ୱର ୫ ସୁଦ୍ଧା ହମଲା ହୋଇପାରେ । ସିଏନ୍‌ଏନ୍‌ର ଏକ ରିପୋର୍ଟରେ ଏହି ଦାବି କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଇସ୍ରାଏଲ୍ ଆକ୍ରମଣର କଡ଼ା ପ୍ରତିକ୍ରିୟା ଦେବ ଇରାନ ।

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ନଭେମ୍ୱର ୫ରେ ହେବ । ସୂତ୍ର ଆଧାରିତ ଏହି ରିପୋର୍ଟ ଅନୁସାରେ ଇରାନ ଆଗାମୀ ଚାରି ଦିନ ଭିତରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ । ତେବେ ଏହି ରିପୋର୍ଟ ଉପରେ ଇସ୍ରାଏଲ୍ ମଧ୍ୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି । ଇସ୍ରାଏଲୀ ଅଧିକାରୀ କହିଛନ୍ତି ଯେ ଯଦି ଇରାନ କୌଣସି ଆକ୍ରମଣ କରେ ତେବେ ଦ୍ୱିଗୁଣା ହିସାବରେ ଜବାବ ମିଳିବ ।

ଏହାରି ଭିତରେ ଇସ୍ରାଏଲ୍ ଉପରେ ଆକ୍ରମଣ ନକରିବା ପାଇଁ ଆଇନକୁ ଅପିଲ୍ କରିଛି ଆମେରିକା । ହ୍ୱାଇଟ୍ ହାଉସ୍ ମୁଖପାତ୍ର କ୍ୟାରିନ ଜିନପିୟରେ ଏକ ପ୍ରଶ୍ନର ଜବାବରେ କହିଛନ୍ତି, 'ଇସ୍ରାଏଲ୍ ଉପରେ ଇରାନ କୌଣସି ଆକ୍ସନ ନନେବା ଦରକାର । ଯଦି ଇରାନ ଏପରି କିଛି କରେ ତେବେ ଆମେ ଇସ୍ରାଏଲ୍‌ର ସୁରକ୍ଷା ପାଇଁ ସମର୍ଥନ କରିବୁ ।' 

ଇସ୍ରାଏଲ୍ ଦ୍ୱାରା ଇରାନ ଉପରେ ଆକ୍ରମଣ ପରେ ବରିଷ୍ଠ ଇରାନୀ ଅଧିକାରୀ କହିଥିଲେ ଯେ ଉଚିତ୍ ସମୟରେ ଏହି ଆକ୍ରମଣ ଜବାବ ଦେବା ପାଇଁ ତେହରାନକୁ ଅଧିକାର ଅଛି । ଇରାନର ରିଭୋଲ୍ୟୁସନାରୀ ଗାର୍ଡ କମାଣ୍ଡର ହୋସେନ ସଲାମୀଙ୍କ ସମେତ ଅନେକ ଅଧିକାରୀ ଏହି ଆକ୍ରମଣର ପ୍ରତିଶୋଧ ନେବା କଥା କହିଥିଲେ । ତେବେ ଇସ୍ରାଏଲ୍ ଉପରେ ପଲଟା ଆକ୍ରମଣର ନିଷ୍ପତ୍ତି ଇରାନର ସୁପ୍ରିମ ଲିଡର୍ ଖାମେନି ନେବେ । ତେବେ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଆମେରିକା ଏବଂ ଇସ୍ରାଏଲ ସହ ସିଧା ଲଢେଇରୁ ଖାମେନି ଦୂରେଇ ରହିବାକୁ ଚାହୁଁଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.