ରାଜ୍ୟ ରାଜନୀତିରେ କମ୍ପନ : ସାଂସଦ ମୁନ୍ନା ଖାଁଙ୍କ ବିସ୍ଫୋରକ ବୟାନ- 'BJP ଟିକେଟ୍‌ରେ ବିଜୟୀ ୧୪ ବିଧାୟକ BJD ସମ୍ପର୍କରେ'

Published By : Prameya-News7 Bureau | October 31, 2024 IST

ନବରଙ୍ଗପୁର ୩୧।୧୦: ବିଜେଡିର ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଥିବା ଜନସଂପର୍କ ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ବିସ୍ଫୋରକ ବୟାନ । ବିଜେଡି ଛାଡି ବିଜେପିରେ ଯୋଗଦେଇ ବିଜେପି ଟିକେଟ୍‌ରେ ବିଜୟୀ ହୋଇଥିବା ୧୪ ବିଧାୟକ ବିଜେଡି ସମ୍ପର୍କରେ ଅଛନ୍ତି ବୋଲି ସେ କହିଛନ୍ତି । ଯାହା ବର୍ତ୍ତମାନ ରାଜନୀତିରେ କମ୍ପନ ସୃଷ୍ଟି କରିଛି । ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ ବୋଲି କର୍ମୀଙ୍କୁ ଉଦବୋଧନ ଦେବାବେଳେ କର୍ମୀଙ୍କ ମନୋବଳ ବଢ଼ାଇବାକୁ ଯାଇ ମୁନ୍ନା କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ । ବିଜେପି ଟିକେଟ୍ ପାଇ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି, ଯାହା ବିଜେଡି କ୍ଷମତାକୁ ଫେରିବାକୁ ରାସ୍ତା ଖୋଲୁଛି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି । 

ବୁଧବାର ନବରଙ୍ଗପୁର ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ତଥା ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ବିରାଟ ପଦଯାତ୍ରା ଚାମୁରିଆଗୁଡା ଠାରୁ ବାହାରି ସହର ପରିକ୍ରମା କରିବା ସହିତ ମାଝୀଗୁଡା ସର୍କିଟ ହାଉସ ପଡିଆ ଠାରେ ପହଞ୍ଚିଥିଲା । ସେଠାରେ ଏକ ସାଧାରଣ ସଭା କାର୍ଯ୍ୟକ୍ରମ ହୋଇଥିଲା ଯେଉଁଥିରେ ରାଜ୍ୟରେ ସରକାରରେ ଆସିଥିବା ବିଜେପି ଦଳ ଲୋକଙ୍କୁ ମିଛ କହିବା ସହ ମିଛ ପ୍ରଲୋଭନ ଦେଖାଇ ଭୋଟ୍ ହାତେଇ ଥିଲା । ଲୋକଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରୁନଥିବା ଉପସ୍ଥିତ ନେତା ନିଜ ଅଭିଭାଷଣରେ କହିଥିଲେ । ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବା ଓ ଲୋକଙ୍କୁ ଅଧିକରୁ ଅଧିକ ବିଜୁ ଜନତା ଦଳରେ ସାମିଲ କରି ପୁଣି ଥରେ ଏକ ନମ୍ବର ଦଳ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଲୋକଙ୍କ ସହିତ ଜଡିତ ରହିବା ତାଙ୍କ ପାଇଁ କାମ କରିବା ସଭାପତିଙ୍କ ଆଦେଶକୁ ମାନି ଏହି କାର୍ଯ୍ୟକ୍ରମ ଜାରି ରହିଥିବା କହିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ବରିଷ୍ଠ ନେତା ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ସୁବାସ ଗଣ୍ଡ ପ୍ରମୁଖ ଉପସ୍ଥିତ ରହି ସଭ୍ୟ ସଂଗ୍ରହ ଉପରେ କହିଥିଲେ l ଏହି କର୍ଯ୍ୟକ୍ରମରେ ବହୁ ବିଜୁ ଜନତା ଦଳ କର୍ମୀ, ମହିଳା କର୍ମୀ ଉପସ୍ଥିତ ଥିଲେ ।

You Can Read:



  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.