ନୂଆଦିଲ୍ଲୀ ୧୯।୪: ଆମ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଏବେ ‘ଶିଶ ମହଲ’ ପରେ ‘ବିବାହ ମହଲ’କୁ ନେଇ କଂଗ୍ରେସ ଓ ବିଜେପିର ଟାର୍ଗେଟ୍ ହୋଇଛନ୍ତି। କେଜରିୱାଲଙ୍କ ଝିଅ ହର୍ଷିତାଙ୍କ ବିବାହ ୧୮ ଏପ୍ରିଲ ଶୁକ୍ରବାର ଦିଲ୍ଲୀର କପୁରଥଲା ହାଉସରେ ଅନୁଷ୍ଠିତ ହୋଇଥିଲା। ଏହା ଦିଲ୍ଲୀରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀକ ବାସଭବନ। ଏଣୁ ବିଜେପି ଓ କଂଗ୍ରେସ ଅରବିନ୍ଦ କେଜରିୱାଲଙ୍କ ସହିତ ଭଗବନ୍ତ ମାନଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି।
ପଞ୍ଜାବ ବିଜେପି ସଭାପତି ସୁନିଲ ଝାକଡ ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଝିଅର ବିବାହ ନେଇ ପ୍ରଥମେ ଅରବିନ୍ଦ କେଜରିୱାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ପରେ ଲେଖିଛନ୍ତି ଯେ ‘କିଛି ସମୟରୁ କପୁରଥଲା ହାଉସ୍ ‘ମ୍ୟାରେଜ ପାଲେସ ଅଫ ଏମିନେନ୍ସ’ରେ ପରିଣତ ହୋଇଛି। ଏହି ବିବାହ ପୂର୍ବରୁ ରାଘବ ଚଡ୍ଡାଙ୍କ ପ୍ରି-ୱେଡିଂ ସେରିମନି ଏହି ସ୍ଥାନରେ ହୋଇଥିଲା’। ଏହା ପରେ ସେ ଲେଖିଛନ୍ତି ଆପଣ ଔଚିତ୍ୟର ପ୍ରଶ୍ନକୁ ଭୁଲି ଯାଆନ୍ତୁ, ଏହା କେବଳ ସମୟର କଥା, ମାନନୀୟ ମୁଖ୍ୟମନ୍ତ୍ରୀ ଏହାକୁ ପଞ୍ଜାବ ସରକାରଙ୍କ ନୂଆ ପଦକ୍ଷେପ ରୂପେ ଘୋଷଣା କରିପାରନ୍ତି।
Heartiest greetings to Sh. Arvind Kejriwal ji on the occasion of the marriage of his daughter at Kapurthala House.
— Sunil Jakhar (@sunilkjakhar) April 19, 2025
Since some time 'Kapurthala House' seems to have become the 'Marriage Palace of Eminence'.
Before this wedding, Raghav Chadha’s pre-wedding ceremonies were held at…
ସେ କହିଛନ୍ତି ଯେ ପାଖାପାଖି ଦେବାଳିଆ ହୋଇସାରିଥିବା ପଞ୍ଜାବ ସରକାରର କପୁରଥଲା ହାଉସ୍ ର ଦ୍ୱାର ବିବାହ ନିମନ୍ତେ ଖୋଲି ରାଜସ୍ୱ ଆୟ ନିମନ୍ତେ କ୍ରାନ୍ତିର ଆଉ ଏକ ମଡେଲ ତିଆରି କରିଛନ୍ତି। ସେପଟେ ବରିଷ୍ଠ କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା ପଞ୍ଜାବ ମୁଖ୍ୟମନ୍ତ୍ରୀ ଆବାସରେ ବିବାହ କାର୍ଯ୍ୟକ୍ରମକୁ ନେଇ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ଅରବିନ୍ଦ କେଜରିୱାଲଙ୍କୁ ଘେରିଛନ୍ତି। ସେ ଭଗବନ୍ତ ମାନଙ୍କୁ କଟାକ୍ଷ କରି କହିଛନ୍ତି ଯେ ‘ରୋମ ଜଳୁଥିଲା ଓ ନିରୋ ବଇଁଶି ବଜଉଥିଲେ’।
ଉଲ୍ଲେଖଯୋଗ୍ୟ ଯେ ଆପ ନେତାଙ୍କ ଝିଅ ବାହାଘରକୁ ବେଶ୍ ଗୋପନୀୟ ଭାବେ ଆୟୋଜନ କରାଯାଇଥିଲା। ଏହି ବିବାହ ନିମନ୍ତେ ମାତ୍ର ୧୫୦ଟି ନିମନ୍ତ୍ରଣ ପତ୍ର ଦିଆଯାଇଥିଲା। ଏହି ବିବାହ ଉତ୍ସବକୁ ନିରାଡମ୍ବର ଦେଖାଇବାକୁ ଅନେକ ଚେଷ୍ଟା କରାଯାଇଥିଲା। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଆବାସରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କାରଣରୁ ଅରବିନ୍ଦ କେଜରିୱାଲ ଓ ଭଗବନ୍ତ ମାନ ଉଭୟ ବିରୋଧୀଙ୍କ ଟାର୍ଗେଟ୍ କୁ ଆସିଯାଇଛନ୍ତି। ତେବେ ମାମଲାରେ ଏବେ ଆମ ଆଦମୀ ପାର୍ଟିର ଜବାବକୁ ଅନ୍ୟ ରାଜନୈତିକ ଦଳମାନେ ଅପେକ୍ଷା କରିଛନ୍ତି।