ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଆମୀର ଖାନଙ୍କ ଭାଇ ଫୈଜଲ ଖାନ୍। ଫିଲ୍ମ ‘ମେଲା’ରେ ଅଭିନୟ କରି ବେଶ୍ ଚର୍ଚ୍ଚା ସାଉଁଟିଥିଲେ। ଏହା ପରେ ଆହୁରି ଅନେକ ଫିଲ୍ମରେ ଅଭିନୟ କରିଥିଲେବି, ବଲିଉଡରେ ତାଙ୍କୁ ସେତେଟା ସଫଳତା ମିଳିପାରିନଥିଲା। ତେବେ ଏକଦା ଆମୀରଙ୍କୁ ନେଇ ଏକ ବଡ଼ ଖୁଲାସା କରିଥିଲେ ଫୈଜଲ। ଯାହାକୁ ନେଇ ବେଶ୍ ଚର୍ଚ୍ଚ ହୋଇଥଲା। ଫୈଜଲ କହିଥିଲେ, ଆମୀର ତାଙ୍କୁ ବନ୍ଦୀ କରି ରଖିବା ସହ ତାଙ୍କ ସ୍ୱାଧୀନତା ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲେ। ଆଉ ଏଥିପାଇଁ ତାଙ୍କୁ କୋର୍ଟଙ୍କ ମଧ୍ୟ ଯିବାକୁ ପଡ଼ିଥିଲା। ତେବେ ଆସନ୍ତୁ ଜାଣିବା କ’ଣ ଥିଲା ଆମୀର ବିରୋଧରେ ଫୈଜଲ ଆଣିଥିବା ସେହି ଅଭିଯୋଗ।
ପ୍ରକୃତରେ ୨୦୦୮ ମସିହାରେ, ଫୈଜଲ ଖାନ ଗଣମାଧ୍ୟମ ପ୍ରତିକ୍ରିୟା ଦେଇ କହିଥିଲେ। ସେ କେବେବି ପ୍ରକୃତରେ ଅସୁସ୍ଥ ନଥିଲେ। ତାଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା କଥା କେବଳ ତାଙ୍କ ବଡ଼ ଭାଇ ଆମୀର ଖାନ ଏବଂ କିଛି ପରିବାର ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଗୁଜବ। ଫୈଜଲ ଦାବି କରିଥିଲେ ଯେ, ତାଙ୍କୁ ଅପହରଣ କରାଯାଇଥିଲା ଏବଂ ଘରେ ବନ୍ଦୀ କରି ରଖାଯାଇଥିଲା। ତାଙ୍କୁ ଏଭଳି ଔଷଧ ଦିଆଯାଉଥିଲା ଯାହାର ତାଙ୍କୁ ଆବଶ୍ୟକ ନଥିଲା। ଏହାକୁ ନେଇ ସେ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ।
ଆଉ କୋର୍ଟରେ ବିଚାରପତି ରାୟ ମଧ୍ୟ ଶୁଣାଇଥିଲେ ଯେ, ଫୈଜଲ କୌଣସି ରୋଗରେ ପୀଡ଼ିତ ନଥିଲେ। ସେ ମାନସିକ ଭାବରେ ସୁସ୍ଥ ଏବଂ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ସକ୍ଷମ ଏବଂ ବିଚାରପତି ତାଙ୍କୁ ସାଧାରଣ ବ୍ୟକ୍ତି ପରି ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ।
ସେହିଭଳି ମୁକେଶ ଖାନ୍ନାଙ୍କ ସହ ଏକ ଆଲୋଚନାବେଳେ ଫୈଜଲ୍ ଖାନ କହିଥିଲେ, ସେ ଆମୀରଙ୍କ ପୂର୍ବ ସମସ୍ୟାଗୁଡ଼ିକୁ ଭୁଲି ନାହାଁନ୍ତି, କିନ୍ତୁ ସେ ତାଙ୍କୁ କ୍ଷମା କରି ଆଗକୁ ବଢ଼ିଛନ୍ତି। ଫୈଜଲ୍, ମୁମ୍ବାଇରେ ଆମୀରଙ୍କ ଝିଅ ଇରା ଖାନଙ୍କ ବିବାହ ଏବଂ ରିସେପ୍ସନରେ ମଧ୍ୟ ଯୋଗଦେଇଥିଲେ।