ଗ୍ୱାଲିୟର ୨୦।୪: ଆନ୍ଧ୍ରପ୍ରଦେଶ ପ୍ରସିଦ୍ଧ ତିରୁପତି ବାଲାଜୀ ମନ୍ଦିର ପ୍ରସାଦରେ ପଶୁ ଚର୍ବି ଯୁକ୍ତ ଅପମିଶ୍ରିତ ଘିଅ ମାମଲାର ତାର ଗ୍ୱାଲିୟର ପର୍ଯ୍ୟନ୍ତ ଲମ୍ବିଛି। ଏହି କାରଣରୁ ମାମଲାର ତଦନ୍ତରେ ସିବିଆଇ ସ୍ପେଶାଲ ଟିମ୍ ଗତ ୩ ଦିନ ହେଲା ଗ୍ୱାଲିୟରରେ ଡେରାପକାଇଥିଲେ। ମାମଲାରେ ସିବିଆଇ ଡାଲି ବଜାରର କେତେକ ତେଲ ଓ ଘିଅ ବେପାରୀଙ୍କୁ ନୋଟିସ୍ ଦେଇ ଡକାଇଥିଲା। ଏହା ପରଠାରୁ ଇନ୍ଦରଗଞ୍ଜ ଓ କୋତବାଲୀ ଥାନା ଅଞ୍ଚଳର ବେପାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।
ସିବିଆଇ ଓ ଏସଆଇଟି ନୋଟିସ୍ ସତ୍ତ୍ୱେ ବ୍ୟବସାୟୀ ନ ପହଞ୍ଚିବାରୁ ସେମାନଙ୍କୁ ଧରି ଆଣି ପଚରା ଉଚରା କରାଯାଇଛି। ମାମଲାର ଯାଞ୍ଚରେ ସିବିଆଇ ଗ୍ୱାଲିୟର ପହଞ୍ଚିବା ପରଠାରୁ ଡାଲି ବଜାରରେ ଥିବା ଅନେକ ଫାର୍ମର କାର୍ଯ୍ୟାଳୟ ଏବେ ଖୋଲୁ ନାହିଁ। ଯଦିଓ କିଛି ସଂସ୍ଥାର ଅଫିସ ଖୋଲା ଅଛି ମାଲିକ ଫେରାର ଅଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ସିବିଆଇର ଏସଆଇଟି ଦେଶରେ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଅଞ୍ଚଳରେ କାର୍ଯ୍ୟାନୁଷ୍ଠାନ କରୁଛି।
ତିରୁପତି ବାଲାଜୀ ପ୍ରସାଦ କାଣ୍ଡ ଯାଞ୍ଚରେ ସିବିଆଇର ଏସଆଇଟି ଗ୍ୱାଲିୟର ଡାଲି ବଜାର ଆଖପାଖରେ ଡେରା ପକାଇଥିଲା। ଜଣାପଡିଛି ସିବିଆଇ ସିପି ଟ୍ରେଡିଂ କମ୍ପାନୀର ନିତିନ ଅଗ୍ରାୱ ଓରଫ ମୋନୁ, ବ୍ୟବସାୟୀ ମୋହିତ ଅଗ୍ରୱାଲ ଓ ଅଜିତକୁମାର-ରାକେଶ କୁମାରଙ୍କ ନୋଟିସ୍ ନେଇ ଆସିଥିଲା। ଏହି ବ୍ୟବସାୟୀମାନେ ଘିଅ ଓ ତେଲ କାରବାର କରନ୍ତି। ସିବିଆଇ ପଚରା ଉଚରା ପରେ ଗ୍ୱାଲିୟରରୁ ଫେରି ଯାଇଛି। ତେବେ ମାମଲାରେ ପୋଲିସ ନୀରବତା ଅବଲମ୍ବନ କରୁଛି।