ବେଙ୍ଗାଲୁରୁ: କର୍ଣ୍ଣାଟକର ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଓମ୍ ପ୍ରକାଶ (୬୮)ଙ୍କୁ ହତ୍ୟା କରାଯାଇଛି । ଓମ୍ ପ୍ରକାଶଙ୍କୁ ବେଙ୍ଗାଲୁରୁ ସ୍ଥିତ ତାଙ୍କ HSR ଲେଆଉଟ୍ ବାସଭବନରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଓମ୍ ପ୍ରକାଶ ୧୯୮୧ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଥିଲେ । ୨୦୧୫ ମସିହାରେ ସେ ରାଜ୍ୟର ୩୮ତମ ଡିଜି ଏବଂ ଆଇଜିପି ଥିଲେ ।
ଅବସରପ୍ରାପ୍ତ ଡିଜି ଏବଂ ଆଇଜିପି ଓମ ପ୍ରକାଶଙ୍କୁ ତାଙ୍କ ପତ୍ନୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଓମ୍ ପ୍ରକାଶଙ୍କ ସ୍ତ୍ରୀ ନିଜ ମାନସିକ ସ୍ଥିରତା ହରାଇ ସ୍ୱାମୀଙ୍କୁ ହତ୍ୟା କରିବା ପରେ ପୋଲିସକୁ ଖବର ଦେଇଥିବା ଦାବି କରାଯାଉଛି । ଓମ୍ ପ୍ରକାଶଙ୍କ ସ୍ତ୍ରୀଙ୍କୁ ପୋଲିସ ଅଟକ ରଖିଛି । ଏହି ଘଟଣା ଜଣାପଡ଼ିବା ମାତ୍ରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଓମ୍ ପ୍ରକାଶଙ୍କ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ସେଣ୍ଟ ଜନସ୍ ହସ୍ପିଟାଲକୁ ପଠାଯାଇଛି ।
ଓମ୍ ପ୍ରକାଶ ୨୦୧୫, ମାର୍ଚ୍ଚ ୦୧ରେ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକ ଏବଂ ମହାନିରୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ ନେଇଥିଲେ । ଏହା ପୂର୍ବରୁ ସେ ହୋମଗାର୍ଡର କମାଣ୍ଡାଣ୍ଟ ଜେନେରାଲ, ସିଭିଲ୍ ଡିଫେନ୍ସ ନିର୍ଦ୍ଦେଶକ ଏବଂ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଓମ୍ ପ୍ରକାଶ ବିହାରର ଚମ୍ପାରଣ ଜିଲ୍ଲାର । ସେ ବେଲ୍ଲାରୀର ହରପାନାହାଲ୍ଲି ସବଡିଭିଜନର ଏଏସପି ଭାବରେ କାର୍ଯ୍ୟ କରିଥିଲେ । ପରେ ତାଙ୍କୁ ରାଜ୍ୟ ଭିଜିଲାନ୍ସ କମିଶନର ଏସପି ଏବଂ କର୍ଣ୍ଣାଟକ ଲୋକାୟୁକ୍ତ ଏବଂ ଚିକାମାଲୁରୁ, ଶିବାମୋଗା ଏବଂ ଉତ୍ତର କନ୍ନଡ ଜିଲ୍ଲାର ଏସପି ପଦୋନ୍ନତି ଦିଆଯାଇଥିଲା ।
୧୯୯୩ ମସିହାରେ ଭଟକଳ ସାମ୍ପ୍ରଦାୟିକ ଦଙ୍ଗା ପରିଚାଳନା ସେ ବେଶ ଚର୍ଚ୍ଚାକୁ ଆସିଥିଲେ । ସେ ଡିଆଇଜି (ପ୍ରଶାସନ), ଡିଆଇଜି-ଉତ୍ତର ଜୋନ୍, ଡିଆଇଜି-ପ୍ରଶିକ୍ଷଣ ଏବଂ ଡିଆଇଜି ଅଗ୍ନିଶମ ବ୍ରିଗେଡ୍ ଥିଲେ । ଆଇଜିପି ଭାବରେ ସେ ସିଆଇଡିରେ ନିଯୁକ୍ତି ପାଇଥିଲେ ଏବଂ ପରିବହନ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ADGP (ଅପରାଧ ଏବଂ ବୈଷୟିକ ସେବା) ଏବଂ ADGP (ଅଭିଯୋଗ ଏବଂ ମାନବାଧିକାର) ଥିଲେ।