ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଗୋଟିଏ ପରେ ଗୋଟିଏ ରୋଚକ ମୋଡ ନେବାରେ ଲାଗିଛି । ପୂର୍ବେ ରାଜ୍ୟର ଚାରୋଟି ଦଳ ଥିଲା, କିନ୍ତୁ ଏଥର ଦୁଇଟି ଦଳ ଭାଗ ହେବା ପରେ ୬ ପାର୍ଟି ନିର୍ବାଚନ ଲଢୁଛନ୍ତି । ଏହି କାରଣରୁ ନିର୍ବାଚନ ପରେ ଜଟଳି ସ୍ଥିତି ସୃଷ୍ଟି ହୋଇପାରେ । ଏହାର ଗୋଟିଏ କାରଣ ଏହା ଯେ ୬ ଦଳ ମଧ୍ୟରେ କାହାକୁ ବି ପୂର୍ଣ୍ଣ ବହୁମତ ମିଳିବା ସମ୍ଭାବନା ବହୁତ କମ ରହିଛି । ତେଣୁ ମେଣ୍ଟ ସରକାର ହେବ ଏବଂ ନିର୍ବାଚନ ପରବର୍ତ୍ତୀ ସମୀକରଣ ଅଧିକ ରୋଚକ ହୋଇପାରେ । ଖାସକରି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା ଦେଖିବାକୁ ମିଳିବ । ଏଥିରେ ଆସନ ସଂଖ୍ୟା ଗୁରୁତ୍ୱ ବହନ କରିବ । ଏହି ଦୃଷ୍ଟିରୁ ବିଜେପି ପୂର୍ବରୁ ହିଁ ସତର୍କ ଥିବା ପରି ମନେ ହେଉଛି ଏବଂ ଏପରି ଏକ ରଣନୀତି କରିଛି, ଯାହାକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି ।
ବିଜେପି ମୋଟ ୧୪୮ ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇଛି । ଅନ୍ୟପଟେ ନିଜର ୧୨ ନେତା ପାଇଁ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ୍ ପାୱାରଙ୍କ ଏନସିପିରୁ ଟିକଟ୍ ହାସଲ କରିବାରେ ସଫଳ ହୋଇଛି । ରାଜନୀତି ବିଶେଷଜ୍ଞଙ୍କ ମତରେ ବିଜେପି ରଣନୀତିକାର ଯେକୌଣସି ସ୍ଥିତିରେ ୧୬୦ ଆସନରେ ନିର୍ବାଚନ ଲଢିବାକୁ ଚାହାନ୍ତି । ଏଥିପାଇଁ ମହାୟୁତିରେ ଦୀର୍ଘ ଦିନ ଯାଏ ଅସହମତି ମଧ୍ୟ ରହିଥିଲା । କିନ୍ତୁ ଶେଷରେ ଯେଉଁ ବୁଝାମଣା ହେଲା, ତାହା ସମସ୍ତଙ୍କୁ ଚକିତ କରିଦେଲା । ବିଜେପିର ୮ ନେତାଙ୍କୁ ଏକନାଥ ସିନ୍ଦେର ଶିବସେନାରୁ ଟିକଟ ମିଳିଛି ଏବଂ ୪ ଜଣଙ୍କୁ ଏନସିପିରୁ ଟିକଟ ମିଳିଛି । ଏହିପରି ବିଜେପି ଯଦିଓ ନିଜ ଚିହ୍ନରେ ୧୪୮ ଆସନରେ ଲଢିବ, କିନ୍ତୁ ତାର ୧୬୦ ନେତା ନିର୍ବାଚନ ଲଢିବେ ।
ଏବେ ଚର୍ଚ୍ଚା ହେଉଛି ଯେ ଏହି ୧୨ ଆସନରେ ପରିମାଣ ନିର୍ବାଚନ ପରେ ଅଧିକ ଗୁରୁତ୍ୱ ରଖିବ । ଯଦି କୌଣସି ଦଳକୁ ବହୁମତ ନ ମିଳେ ଏବଂ ବିଜେପି ସବୁଠାରୁ ବଡ଼ ପାର୍ଟି ହୋଇ ସରକାର ଗଢିବା ଦୌଡ଼ରେ ରୁହେ ତେବେ ଏହି ଆସନରୁ ଚାପ ପକାଇପାରିବ । ଏଥିପାଇଁ ବିଜେପି ଅନ୍ୟ ଦଳରୁ ନିଜର ୧୨ ନେତାଙ୍କୁ ମୈଦାନକୁ ଓହ୍ଲାଇଥିବା କୁହାଯାଇଛି । ବିଜେପି ମୁଖପାତ୍ର ସାଇନା ଏନସି, ମୁରଜୀ ପଟେଲ, ସଞ୍ଜନା ଯାଥଧବ, ରାଜେନ୍ଦ୍ର ରାଉତ, ନୀଲେଶ ରାଣେ, ରାଜେନ୍ଦ୍ର ଗାଭିତ, ବିଳାସ ସାରେ, ସନ୍ତୋଷ ସେଟ୍ଟୀଙ୍କୁ ଶିବସେନା ଟିକଟ ଦେଇଛି । ସେହିପରି ସଞ୍ଜୟ କାକା ପାଟିଲ, ନିଶିକାନ୍ତ ପାଟିଲ, ରାଜକୁମାର ବଡୋଲେ ଏବଂ ପ୍ରତାପରାଓ ପାଟିଲଙ୍କୁ ଏନସିପିରୁ ଟିକଟ ମିଳିଛି । ଏମାନେ ସମସ୍ତେ ବିଜେପି ନେତା ଥିଲେ ଏବଂ ଟିକଟ ଘୋଷଣା ହେବା ପରେ ଶିବସେନା ଏବଂ ଏନସିପିରେ ସାମିଲ ହୋଇଛନ୍ତି ।