ମୁମ୍ବାଇ ୨।୧: ଅନନ୍ତ ଅମ୍ବାନୀ ତାଙ୍କର ନୂଆ ଘଡ଼ି ପାଇଁ ଏବେ ବେଶ୍ ଚର୍ଚ୍ଚାରେ। ଏହି ଘଡ଼ି ଦେଖିବା ପାଇଁ ଏକ ବରଫ ଟୁକୁଡା ଭଳି ଓ ବିଶ୍ୱରେ କେବଳ ଏହିପରି ୩ଟି ଘଡ଼ି ତିଆରି ହୋଇଛି। ମୁକେଶ ଓ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଅନନ୍ତ ଜଣେ ଘଡ଼ି ସୌକିନ ବ୍ୟକ୍ତି। ତାଙ୍କ ପାଖରେ ରିଚାର୍ଡ ମାଇଲ, ପାଟେକ୍ ଫିଲିପ ସହ ଓଡେମାର୍ସ ପିଗୁଏ ଭଳି ଲଗଜରୀ ବ୍ରାଣ୍ଡର ବିରଳ ହାତ ଘଡ଼ିର ଏକ ଭବ୍ୟ ସଂଗ୍ରହ ରହିଛି। ନିକଟରେ ରାଧିକା ମର୍ଚାଣ୍ଟଙ୍କ ସହ ଏକ ଇଭେଣ୍ଟରେ ସେ ରିଚାର୍ଡ ମିଲ ଆରଏମ-୫୨-୦୪’ସ୍କଲ’ ବ୍ଲୁ ସଫାୟର ଘଡ଼ି ପିନ୍ଧିଥିଲେ।
ଏହା ବିଶ୍ୱର ଦୁର୍ଲଭ ତଥା ମୂଲ୍ୟବାନ ଘଡ଼ି ମଧ୍ୟରୁ ଗୋଟିଏ। ଏପରି ଘଡ଼ି କେବଳ ବିଶ୍ୱର ଜଣାଶୁଣା ଲୋକଙ୍କର ଅଛି। ଇଂଷ୍ଟାଗ୍ରାମ ପେଜ୍ ‘ଦି ଇଣ୍ଡିଆନ ହରଲୋଜି’ ଅନୁସାରେ ବିଶ୍ୱରେ ଏହି ଘଡ଼ିର ମାତ୍ର ୩ଟି ମଡେଲ ଅଛି। ଲଗଜରୀ ୱାଚ୍ ଷ୍ଟୋର ‘ଭିଣ୍ଟେଜ୍ ଗ୍ରେଲ’ ଏହା ସଂଗ୍ରାହକଙ୍କ ନିମନ୍ତେ ଦୁର୍ଲଭ ବୋଲି କହିଛି। ଏହି ଘଡ଼ିର ଡିଜାଇନ ହିଁ ଏହାକୁ ଖାସ କରିଛି। ଏହାର କେସ୍ ସଫାୟାରରେ ତିଆରି ହୋଇଥିବା ବେଳେ ଏଥିରେ ପାୟରଟ ସ୍କଲ ଓ କ୍ରସ ବୋନସ୍ ଡିଜାଇ ରହିଛି। ଘଡ଼ିର ମୁଭମେଣ୍ଟକୁ ହାଡ ଆକାରର ୪ଟି ବ୍ରିଜରେ ଯୋଡା ଯାଇଛି, ଯାହାକୁ ପଛପଟୁ ମଧ୍ୟ ଦେଖାଯାଇ ପାରେ।
ଏହି ଅମୂଲ୍ୟ ଘଡ଼ିର ଦାମ ୨୬,୨୫,୦୦୦ ଆମେରିକୀୟ ଡଲାର, ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୨୨.୫ କୋଟି ଟଙ୍କା ସହ ସମାନ। ଅନନ୍ତ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଓ ନୀତା ଅମ୍ବାନୀଙ୍କ କନିଷ୍ଠ ପୁତ୍ର ଓ ଗତ ୧୨ ଜୁଲାଇ ୨୦୨୪ରେ ତାଙ୍କର ବିବାହ ରାଧିକା ମର୍ଚାଣ୍ଟଙ୍କ ସହ ହୋଇଛି। ତାଙ୍କର ଭାଇ ଭଉଣୀ ଇଶା ଅମ୍ବାନୀ ଓ ଆକାଶ ଅମ୍ବାନୀ ଅଛନ୍ତି। ରିଚାର୍ଡ ମିଲ ବ୍ରାଣ୍ଡ ଏହାର ଉଚ୍ଚ ମୂଲ୍ୟ ଓ ବିରଳ ଡିଜାଇନ ପାଇଁ ଜଣାଯାଏ। ଏହା ଧନୀ ଓ ପ୍ରସିଦ୍ଧ ଲୋକଙ୍କ ନିମନ୍ତେ ଷ୍ଟାଟସର ସିମ୍ବଲରେ ପରିଣତ ହୋଇଛି। ଏହା ଛଡା ଏଗି ଘଡ଼ିର ଲୁକ୍ ମଧ୍ୟ ବେଶ୍ ଆକର୍ଷକ, ଯାହା ଦୂରରୁ ଲୋକଙ୍କ ଧ୍ୟାନ ଆକର୍ଷଣ କରେ।