ନୂଆଦିଲ୍ଲୀ ୨୩/୩: କାଠଗଡାରେ ଦିଲ୍ଲୀ ହାଇକୋର୍ଟ ଜଜ୍ ଯଶୱନ୍ତ ବର୍ମା । ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ଜୋରସୋରରେ ଚାଲିଛି ତନାଘନା । ପ୍ରଧାନ ବିଚାରପତି ସଂଜୀବ ଖନ୍ନା ଏକ ୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି । ଏଥିସହ ଜଷ୍ଟିସ ବର୍ମାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ ନଦେବା ପାଇଁ ସିଜେଆଇ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରବିବାର ନିଆଁ ଲାଗିବା ଘଟଣାର ଭିଡିଓ ସାର୍ବଜନୀନ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଓ କିଛି ଫଟୋ ମଧ୍ୟ ସାର୍ବଜନୀନ କରାଯାଇଛି । ୨୫ ପୃଷ୍ଠାର ରିପୋର୍ଟ ସହ ଜଳୁଥିବା ନୋଟ୍ର ଫୋଟ ଓ ଭିଡିଓ ସୁପ୍ରିମକୋର୍ଟଙ୍କ ୱେବସାଇଟରେ ଅପଲୋଡ୍ ହୋଇଛି । ଭିଡିଓଟି ୧ ମିନିଟ ୭ ସେକେଣ୍ଡର ରହିଛି । ଯେଉଁଠିରେ ନୋଟ୍ ଜଳୁଥିବା ଦୃଶ୍ୟ ସ୍ପଷ୍ଟ ଜଣାପଡୁଛି । ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀମାନେ ସଫେଇ କରୁଥିବା ଦେଖାଯାଉଛି ।
ତଦନ୍ତ ପାଇଁ ଗଠିତ ୩ ଜଣିଆ କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୀଲ ନାଗୁ, ହିମାଚଳପ୍ରଦେଶ ହାଇକୋର୍ଟ ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ ଜିଏସ୍ ସନ୍ଧାବାଲିୟା ଓ କର୍ଣ୍ଣାଟକ ହାଇକୋର୍ଟର ନ୍ୟାୟଧୀଶ ଜଷ୍ଟିସ ଅନୁ ଶିବରାମନ ସାମିଲ ଅଛନ୍ତି । ଏହି କମିଟି ଜଷ୍ଟିସ ବର୍ମାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରି ରିପୋର୍ଟ ହସ୍ତାନ୍ତର କରିବେ ।
ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡି.କେ ଉପାଧ୍ୟାୟ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ସରକାରୀ ଘରୁ ନଗର ରାଶି ମିଳିବା ମାମଲାରେ ସିଜେଆଇ ସଂଜୀବ ଖନ୍ନାଙ୍କୁ ଏକ ରିପୋର୍ଟ ଦେଇଥିଲେ । ଜଷ୍ଟିସ ଉପାଧ୍ୟାୟ ଘଟଣା ଉପରେ ସାକ୍ଷୀ ଓ ସୂଚନା ଏକାଠି କରିବା ପାଇଁ ଆଭ୍ୟନ୍ତରୀଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଶୁକ୍ରବାର ନିଜ ରିପୋର୍ଟ ପ୍ରସ୍ତୁତ କରିଥିଲେ ।
ସୂଚନା ମୁତାବକ ମାର୍ଚ୍ଚ ୧୪ରେ ରାତି ପ୍ରାୟ ୧୧ଟା ୩୫ ମିନିଟରେ ଜଷ୍ଟିସ ବର୍ମାଙ୍କ ଲୁଟିୟନ୍ସ ଦିଲ୍ଲୀ ସ୍ଥିତ ଘରେ ନିଆଁ ଲାଗିବା ପରେ ଫାୟାର ବ୍ରିଗେଡ ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟରେ ତାଙ୍କ ଘରୁ ବିପୁଳ ପରିମାଣରେ ଟଙ୍କା ମିଳିଥିଲା । ଶୀର୍ଷ ଅଦାଲତ ଶୁକ୍ରବାର ଏକ ବୟାନରେ କହିଥିଲେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ବାରା ଜଷ୍ଟିସ ବର୍ମାଙ୍କ ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରାଯାଇଛି । ତାଙ୍କୁ ଆହ୍ଲାବାଦ ହାଇକୋର୍ଟ ବଦଳି ପାଇଁ ପ୍ରସ୍ତାବ ବି ରହିଛି ।