ଦେଶ ସେବାରେ ଆସାମ ରାଇଫଲସକୁ ପୁରିଲା୧୯୦ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଳିଲା ସ୍ଥାପନା ଦିବସ

Published By : Prameya-News7 Bureau | March 24, 2025 IST

ସିଲଂ ୨୪।୩: ଦେଶର ସବୁଠୁ ପୁରୁଣା ଓ ପ୍ରତିଷ୍ଠିତ ଅର୍ଦ୍ଧସାମରିକ ବଳ ମଧ୍ୟରେ ଅନ୍ୟତମ ଆସାମ ରାଇଫଲସ୍ ସୋମବାର ୧୯୦ତମ ସ୍ଥାପନା ଦିବସ ପାଳନ କରିଛି। ସିଲଂ ସ୍ଥିତ ମୁଖ୍ୟାଳୟରେ ଗର୍ବ ଓ ଶ୍ରଦ୍ଧାର ସହିତ ଏହି ସ୍ଥାପନା ଦିବସ ପାଳନ କରାଯାଇଛି। ଏହି ଅବସରରେ ଆସାମ ରାଇଫଲସର ଲେଫ୍ଟନାଣ୍ଟ ଜେନେରାଲ ବିକାଶ ଲଖେଡା, ଡିଜି ଆସାମ ରାଇଫଲସ୍ ଓ ଫୋର୍ସର ସମସ୍ତ ରାଙ୍କ ଅଧିକାରୀ ସିଲଂ ଯୁଦ୍ଧ ସ୍ମାରକରେ ସହିଦ ଜବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଯେଉଁମାନେ ଅତୀତରେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। 

ଆସାମ ରାଇଫଲସ ଡିଜି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୂର୍ବୋତ୍ତର ଓ କାଶ୍ମୀରରେ ଉଗ୍ରବାଦର ମୁକାବିଲା ଲାଗି ଉତ୍କୃଷ୍ଟ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ସମସ୍ତଙ୍କ ନଜର ୨୦୨୩-୨୪ ଡିଜି ଏଆର ଧ୍ୱଜ ଉପରେ ଥିଲା, ଯାହାକୁ ସର୍ବୋତ୍ତମ ପ୍ରଦର୍ଶନ ନିମନ୍ତେ ୟୁନିଟ୍-୪ ଆସାମ ରାଇଫଲସକୁ ପ୍ରଦାନ କରାଯାଇଛି। ଏଥିରେ ୩୬ ଆସାମ ରାଇଫଲସ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ତୃତୀୟ ଆସାମ ରାଇଫଲସକୁ ପ୍ରଥମ ରନର୍ସ ଅପ ଘୋଷଣା କରାଯାଇଛି। 

ଆସାମ ରାଇଫଲସ ୨୦୨୪-୨୫ରେ ଅପରେସନ ମାନଙ୍କରେ ନିଜର ଦୃଢତାକୁ ପ୍ରମାଣିତ କରିଛି। ଗତବର୍ଷ ଆସାମ ରାଇଫଲସର ୪ଟି ବଟାଲିୟନକୁ ‘ଚିଫ ଅଫ ଆର୍ମିଷ୍ଟାଫ ୟୁନିଟ ଷ୍ଟେସନ’ ଓ ୬ଟି ବଟାଲିୟନକୁ ‘ଜେନେରାଲ ଅଫିସର କମାଣ୍ଡିଂ-ଇନ୍-ଚିଫ ୟୁନିଟ୍ ଷ୍ଟେସନ’ ପ୍ରଦାନ କରାଯାଇଛି। ଏହା ଛଡା ଆସାମ ରାଇଫଲସର ଜବାନମାନଙ୍କ ମଧ୍ୟରୁ ଜଣକୁ ଶୌର୍ଯ୍ୟ ଚକ୍ର, ୮  ଜଣଙ୍କୁ ସେନା ମେଡାଲ ଓ ୪୦୦ଜଣଙ୍କୁ ରାଷ୍ଟ୍ରପତି ଏବଂ ଗଭର୍ଣ୍ଣର ମେଡାଲରେ ସମ୍ବର୍ଦ୍ଧିତ କରାଯାଇଛି। ଆସାମ ରାଇଫଲସ୍ କ୍ରିଡା କ୍ଷେତ୍ରରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ କରିଛି। ୨୦୨୪-୨୫ରେ ଜାତୀୟ ସ୍ତରରେ ୨୫୪ଟି ପଦକ ପ୍ରାପ୍ତ କରିଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ୨୧ଟି ପଦକ ହାସଲ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.