'Bigg Boss ସମାଜ ପାଇଁ କ୍ଷତିକାରକ, ଶୋ’ ବନ୍ଦ କରାଯାଉ'; ଲୋକସଭାରେ ଦାବି ଉଠାଇଲେ ବିଜେପି ସାଂସଦ

Published By : Prameya-News7 Bureau | March 27, 2025 IST

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ରିୟାଲିଟି ଶୋ’ ବିଗ୍ ବସ୍ ଉପରେ ରୋକ ଲଗାଇବା ପାଇଁ ସଂସଦରେ ଦାବି ଉଠିଛି । ବିଜେପି ସାଂସଦ ଅନିଲ ଫିରୋଜିୟା ଗୁରୁବାର ଲୋକସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି ଯେ ଏହି ରିୟାଲିଟି ଶୋ’ରେ ଅଶ୍ଲୀଳତା ଓ ଅଭଦ୍ର ଭାଷାକୁ ପ୍ରୋତ୍ସାହିତ କରାଯାଉଛି, ଯାହା ସମାଜ ପାଇଁ କ୍ଷତିକାରକ ହୋଇପାରେ ।

ମଧ୍ୟପ୍ରଦେଶର ଉଜ୍ଜୈନରୁ ଲୋକସଭା ସାଂସଦ ଫିରୋଜିୟା ଲୋକସଭାର ଶୂନ୍ୟକାଳରେ ଏହି ବିଷୟ ଉଠାଇଥିଲେ । ସେ କହିଛନ୍ତି, 'ବିଗ୍ ବସ୍ ଏପରି ଶୋ’ ଯାହାକୁ ଭାରତୀୟ ଟିଭିରେ ବଡ଼ ଆକାରରେ ପ୍ରସାରିତ କରାଯାଏ ଓ ଏହାର କୋଟି କୋଟି ଦର୍ଶକ ଅଛନ୍ତି ।' ସାଂସଦ କହିଛନ୍ତି, 'ପ୍ରଥମେ ଏହା ଏକ ସାମାନ୍ୟ ରିୟାଲିଟି ଶୋ’ ଥିଲା, କିନ୍ତୁ ପରେ ଏଥିରେ ଅଶ୍ଲୀଳତା ଓ ବିବାଦର ସ୍ତର ବଢିଯାଇଛି । ଯାହା କେବଳ ଦର୍ଶକଙ୍କ ପାଇଁ ନୁହେଁ, ବରଂ ସମାଜ ପାଇଁ ମଧ୍ୟ କ୍ଷତିକାରକ ଅଟେ ।'

ସେ ଦାବି କରିଛନ୍ତି ଯେ ଶୋ’ରେ ଅଧିକାଂଶ ସମୟରେ ଅଭଦ୍ର ଭାଷା ଓ ବିବାଦକୁ ପ୍ରୋତ୍ସାହିତ କରାଯାଉଛି ତଥା ଅନେକ ସମୟରେ ପ୍ରତିଯୋଗୀଙ୍କ ବ୍ୟକ୍ତଗତ ଜୀବନର ଖାରପ କଥାକୁ ଦେଖାଯାଇଥାଏ । ସାଂସଦ କହିଛନ୍ତି ଯେ ଆମର ଯୁବପିଢି ଓ ପିଲାଙ୍କ ଉପରେ ଏହି ଶୋ’ର ଗଭୀର ପ୍ରଭାବ ପଡ଼ୁଛି । ଏହି କାର୍ଯ୍ୟକ୍ରମର ହୋଷ୍ଟ ଅଭିନେତା ସଲମାନ ଖାନଙ୍କ ନାଁ ନେଇ ସେ କହିଛନ୍ତି, 'ଏହି ଟିଭି କାର୍ଯ୍ୟକ୍ରମ କିମ୍ୱା ଏପରି ଅନ୍ୟ ଶୋ’ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ମୁଁ ଦାବି କରୁଛି ।'  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.