ଅନ୍ତ୍ୟୋଦୟ ଗୃହ ଯୋଜନାକୁ ବିଜେଡି ଓ କଂଗ୍ରେସର ସମାଲୋଚନା ; 'ଭୂମିହୀନ ଘର ପାଇବେ ନା, ଯୋଜନା କେବଳ ଯୋଜନାରେ ରହିବ'

Published By : Prameya-News7 Bureau | March 30, 2025 IST

ଭୁବନେଶ୍ବର ୩୦: ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହେବା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ଏ ସରକାର ପ୍ରଚାର ପ୍ରସାର ସହ ଭାଷଣବାଜି ସରକାର । ଅନ୍ତ୍ୟୋଦୟ ଗୃହ ଯୋଜନା କେବଳ ପ୍ରଚାର ପାଇଁ । ଏହା କେତେ ମାତ୍ରାରେ ସଫଳ ହେବ ତାହା ସନ୍ଦେହରେ । କାରଣ ଏହାର ଗାଇଡ଼ ଲାଇନ ବିଭିନ୍ନ ସମୟରେ ବଦଳୁଛି । ସର୍ଭେ ମଧ୍ୟ ଠିକ୍‌ରେ ହୋଇନି । ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିବା ଉଚିତ ବୋଲି ପ୍ରଦୀପ ଦିଶାରୀ କହିଛନ୍ତି ।

ସେପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି, ଭୂମିହୀନ ମାନଙ୍କୁ ସରକାର ଘର ଦିଅନ୍ତୁ । କିନ୍ତୁ ରାଜ୍ୟରେ କେତେ ଭୂମିହୀନ ଲୋକ ଅଛନ୍ତି, ସରକାରଙ୍କ ପାଖରେ ସେ ତଥ୍ୟ ଅଛି ତ ବୋଲି ସେ ପ୍ରଶ୍ନ କରିଛନ୍ତି । ଭୂମିହୀନ ଘର ପାଇବେ ନା, ଯୋଜନା କେବଳ ଯୋଜନାରେ ରହିବ ବୋଲି ଭକ୍ତ ଦାସ କହିଛନ୍ତି । 

ସୂଚନାଯୋଗ୍ୟ ଯେ, କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନାର ରାଜ୍ୟସ୍ତରୀୟ ଶୁଭାରମ୍ଭ କକରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ପ୍ରତ୍ୟେକ ଘର ପାଇଁ ୧.୨୦ ଲକ୍ଷ ଟଙ୍କା, ତା ସହିତ ବିଭିନ୍ନ ଯୋଜନାରେ ମିଳିବ ଶୌଚାଳୟ, ରନ୍ଧନ ଗ୍ୟାସ, ସ୍ୱଚ୍ଛ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ । ୩ ବର୍ଷରେ ୫ ଲକ୍ଷ ଘର ଦିଆଯିବ, ଖର୍ଚ୍ଚ ହେବ ୭,୫୫୦ କୋଟି ଟଙ୍କା । ୭୦ ଦଶକରୁ ଆଜି ପର୍ଯ୍ୟନ୍ତ ସାଧାରଣ ଲୋକ ପାଇଁ ଘର ଖଣ୍ଡିଏ ବଡ ସମସ୍ୟା ହୋଇ ରହିଛି, ଏବେ ସେ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହେବ, ସମସ୍ତଙ୍କୁ ମିଳିବ ପକ୍କା ଘର ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଭବାନୀପାଟଣା ଓ ସମ୍ବଲପୁରରେ ଚାଲିବ, ସରକାର ଯିବେ ଲୋକଙ୍କ ପାଖକୁ ।


You Can Read:

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଦୁଇ ଦିନ ମଧ୍ୟରେ ତାପମାତ୍ରା କମିବା ସମ୍ଭାବନା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.