ୱାୟନାଡ୍ ପୀଡ଼ିତଙ୍କ ପାଇଁ ଘର ନିର୍ମାଣ କରିବେ କେରଳ ସରକାର; ଟାଉନଶିପ୍‌ର ଶିଳାନ୍ୟାସ କଲେ ସିଏମ୍ ବିଜୟନ

Published By : Prameya-News7 Bureau | March 27, 2025 IST

ନୂଆଦିଲ୍ଲୀ: ୱାୟନାଡ ପୀଡ଼ିତଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ । ଭୂସ୍ଖଳନ ଯୋଗୁଁ ନିଜ ଘର ହରାଇଥିବା ଲୋକଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ରାଜ୍ୟ ସରକାର । ସିଏମ୍ ବିଜୟନ କେରଳ ସରକାରଙ୍କୁ ପକ୍ଷରୁ ପୀଡ଼ିତଙ୍କ ଲାଗି ନିର୍ମାଣ କରାଯାଉଥିବା ଘର ପାଇଁ ଶିଳାନ୍ୟାସ କରିଛନ୍ତି । ଗତବର୍ଷ ୱାୟନାଡର ଚୁରଚମାଲା-ମୁଡକ୍କଇ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ବହୁ ସଂଖ୍ୟାରେ ଲୋକେ ପ୍ରଭାବିତ ହୋଇଥିଲା । ଏବେ ରାଜ୍ୟ ସରକାର ପୀଡିତଙ୍କ ପୁନର୍ବାସ ପାଇଁ ମଡେଲ୍ ଟାଉନଶିପ୍ ନିର୍ମାଣ କରୁଛନ୍ତି ।

ମଡେଲ୍ ଟାଉନଶିପ୍ ନିର୍ମାଣ ପାଇଁ ରାଜ୍ୟ ସରକାର କଲପେଟ୍ଟାର ଏଲଷ୍ଟନ ଆସେଟ୍‌ଠାରୁ ଭୂମି ଅଧିଗ୍ରହଣ କରିଛନ୍ତି । କଲପେଟ୍ଟା ବାଇପାସ୍ କଡରେ ନିର୍ମାଣ ହେଉଥିବା ଏହି ଟାଉନଶିପ୍ ପାଇଁ ୬୪ ହେକ୍ଟର ଭୂମିକୁ ଚିହ୍ନଟ କରାଯାଇଛି । ଏକ ହଜାର ବର୍ଗଫୁଟର ଏକ ମହଲା ବିଶିଷ୍ଟ ଘର ନିର୍ମାଣ କରାଯିବ । ଶିଳାନ୍ୟାସ କାର୍ଯ୍ୟକ୍ରମରେ ୱାୟନାଡରୁ ନବନିର୍ବାଚିତ କଂଗ୍ରେସ ସାଂସଦ ପ୍ରୟଙ୍କା ଗାନ୍ଧୀ ଉପସ୍ଥିତ ରହିଥିଲେ ।

ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗୁରୁବାର ଟାଉନ୍‌ଶିପ ଶିଳାନ୍ୟାସ ରଖିବା ପରେ ଦାବି କରିଥିଲେ ଯେ ପୁନର୍ବାସ କାର୍ଯ୍ୟ ପାଇଁ କେନ୍ଦ୍ର କେବଳ ଋଣ ଦେଇଛି, ଯାହା ପର୍ଯ୍ୟାପ୍ତ ନୁହେଁ । କେନ୍ଦ୍ର ସରକାର ସହ ଆମର ପୂର୍ବରୁ ଯେପରି ଅନୁଭୂତି ରହିଛି, ଆମେ ଅଧିକ ଆଶା ମଧ୍ୟ ରଖିନୁ । ଖବର ଅନୁସାରେ ଭୂସ୍ଖଳନ ପୀଡ଼ିତଙ୍କ ପୁନର୍ବାସ ପାଇଁ କେନ୍ଦ୍ର ସରକାର ୫୨୯.୫୦ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଜୁଲାଇ ୩୦ ତାରିଖ ରାତିରେ ମୁନ୍ଦକ୍କଇ ଓ ଚୁରଲମାଲା କ୍ଷେତ୍ରରେ ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି ପ୍ରାକୃତିକ ବିପର୍ଯ୍ୟୟରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍ ସହ ସେନାକୁ ମଧ୍ୟ ନିୟୋଜିତ କରାଯାଇଥିଲା । ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ପିଏମ୍ ମୋଦୀ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସମୀକ୍ଷା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.