ନୂଆଦିଲ୍ଲୀ ୨୭।୩: ଦେଶର ଅନୁନ୍ୟ ୨୨ ପ୍ରତିଶତ ଅତି ଧନାଢ୍ୟ ଲୋକେ ବିଭିନ୍ନ କାରଣରୁ ଭାରତ ବାହାରେ ବସବାସ କରିବାକୁ ଚାହୁଁଛନ୍ତି। ବିଦେଶରେ ଉନ୍ନତ ଜୀବନ ଶୈଳୀ, ଅନ୍ୟ ଦେଶରେ ବାଣିଜ୍ୟ ବ୍ୟବସାୟ ସୁଗମତା କାରଣରୁ ସେମାନେ ଭାରତ ଅପେକ୍ଷା ବିଦେଶକୁ ଅଧିକ ପସନ୍ଦ କରୁଛନ୍ତି। ଅତି ଧନାଢ୍ୟ ୧୫୦ ଜଣ ବ୍ୟକ୍ତିଙ୍କ ଉପରେ କରାଯାଇଥିବା ସର୍ଭେକ୍ଷଣରୁ ଏହି ତଥ୍ୟ ମିଳିଛି। ତେବେ ଆସନ୍ତୁ ଜାଣିବା ଏହି ଧନପତି କୁବେରମାନେ କେଉଁ ଦେଶକୁ ବସବାସ ନିମନ୍ତେ ସର୍ବୋତ୍ତମ ବୋଲି ଭାବୁଛନ୍ତି।
ଏପରି ଲୋକେ ବିଶେଷ କରି ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିୟା, କାନାଡା ଏପରିକି ୟୁଏଇକୁ ବସବାସ ନିମନ୍ତେ ସବୁଠୁ ଉତ୍ତମ ଭାବୁଛନ୍ତି। ତେବେ ଗୋଲ୍ଡେନ ଭିସା ଯୋଜନା ଯୋଗୁ ୟୁଏଇ ଏପରି ଲୋକଙ୍କ ନିମନ୍ତେ ଏବେ ଆକର୍ଷଣୀୟ ଗନ୍ତବ୍ୟ ପାଲଟିଛି। କନସଲ୍ଟାନ୍ସୀ କମ୍ପାନୀ ଇୱାଇ ସହିତ ମିଶି ଦେଶର ଅଗ୍ରଣୀ ସମ୍ପତ୍ତି ପ୍ରବନ୍ଧନ କମ୍ପାନୀ କୋଟକ ପ୍ରାଇଭେଟ ଏହି ସର୍ଭେକ୍ଷଣ କରିଛନ୍ତି। ବିଦେଶ ମନ୍ତ୍ରାଳୟଙ୍କ ଅନୁସାରେ ସବୁ ବର୍ଷ ଅନୁନ୍ୟ ୨୫ଲକ୍ଷ ଲୋକେ ଅନ୍ୟ ଦେଶକୁ ବସବାସ କରିବାକୁ ଚାଲି ଯାଉଛନ୍ତି।
ଏହି ସର୍ଭେକ୍ଷଣର ନିଷ୍କର୍ସରେ କୁହାଯାଇଛି ଯେ ସର୍ଭେକ୍ଷଣରେ ସାମିଲ ୫ ଜଣଙ୍କ ମଧ୍ୟରେ ଜଣେ ଅତି ଧନାଢ୍ୟ ବ୍ୟକ୍ତି ବର୍ତ୍ତମାନ ପ୍ରବାସ ପ୍ରକ୍ରିୟାରେ ଅଛନ୍ତି, ନଚେତ ପ୍ରବାସ ନିମନ୍ତେ ଯୋଜନା କରୁଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ ଭାରତୀୟ ନାଗରିକତାକୁ କାୟମ ରଖି ନିଜ ପସନ୍ଦର ଦେଶରେ ସ୍ଥାୟୀ ବସବାସ କରିବାକୁ ଚାହୁଁଛନ୍ତି। ଏଥିରେ କୁହାଯାଇଛି ଯେ ସେମାନେ ଜୀବନ ସ୍ତର, ସ୍ୱାସ୍ଥ୍ୟ ସୁବିଧା, ଶିକ୍ଷା ଅଥବା ଜୀବନ ଶୈଳୀରେ ସୁଧାର ଚାହୁଁଛନ୍ତି। ସେହିପରି ଦୁଇ ତୃତୀୟାଂଶରୁ ଅଧିକ ଲୋକେ ସୁଗମ ବ୍ୟବସାୟ ନିମନ୍ତେ ମଧ୍ୟ ପ୍ରବାସକୁ ମୁଖ୍ୟକାରଣ ବୋଲି କହୁଛନ୍ତି।