ଜାମ୍ମୁ ଓ କାଶ୍ମୀରର କାଠୁଆରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ: ୨ ନିହତ, ୫ ପୁଲିସ କର୍ମୀ ଆହତ

Published By : Prameya-News7 Bureau | March 27, 2025 IST

indiatoday

ନୂଆଦିଲ୍ଲୀ: ଗୁରୁବାର ଜାମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ପାଞ୍ଚ ପୁଲିସ କର୍ମୀ ଆହତ ହୋଇଛନ୍ତି। ଦୁଇ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ-କାଶ୍ମୀରରେ ଗତ ୪ ଦିନ ହେଲା ଆତଙ୍କବାଦୀ ନିରୋଧୀ ଅପରେସନ ଜାରି ରହିଛି। 

ଜୁଥାନାର ଘନ ଜଙ୍ଗଲ ଅଞ୍ଚଳରେ ୪-୫ ଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ହୀରାନଗର ସେକ୍ଟରରୁ ପ୍ରାୟ ୩୦ କିଲୋମିଟର ଦୂର ଜାଖୋଲେ ଗାଁ ନିକଟରେ ଆତଙ୍କବାଦୀମାନେ ଲୁଚି ଥିବା ଜଣାପଡ଼ିବା ପରେ ସୁରକ୍ଷା କର୍ମୀ ସେମାନଙ୍କୁ ଧରିବାକୁ ଉଧ୍ୟମ କରିଥିଲା। ଏହାପରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଘଟଣାସ୍ଥଳକୁ ଘେରାଉ କରି ଲଢ଼େଇ ଜାରି ରହିଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି।

ଆତଙ୍କବାଦ ନିରୋଧୀ ଅଭିଯାନରେ ଯୋଗ ଦେଇଥିବା ସେନାର ସ୍ୱତନ୍ତ୍ର ବାହିନୀ ପୂର୍ବରୁ ଜୁଥାନାରେ ନିଯୁକ୍ତି ହୋଇ କାମ କରୁଥିଲେ। ହେଲେ ସେନା ଅପରେସନ ଆରମ୍ଭ ହେବା ପରେ ଜମ୍ମୁ ଏବଂ କାଶ୍ମୀର ଡିଜିପି ନଳିନୀ ପ୍ରଭାତ ତଦାରଖ କରିବା ପାଇଁ ଏନକାଉଣ୍ଟର ସ୍ଥଳକୁ ଯାଇଛନ୍ତି। ଗୁଳିବିନିମୟରେ ଆହତ ହୋଇଥିବା ଜାମ୍ମୁ-କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପର ୨ କର୍ମଚାରୀଙ୍କୁ କାଠୁଆର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।  

ତେବେ ସୁରକ୍ଷା ଏଜେନ୍ସିର ସନ୍ଦେହ ହେଲା ଆଜିର ଏହି କାଣ୍ଡ ପଛରେ ରବିବାର ହୀରାନଗରରେ ଖସି ପଳାଇଥିବା ଆତଙ୍କବାଦୀମାନେ ସମ୍ପୃକ୍ତ ରହିଛନ୍ତି। ରବିବାର ମଧ୍ୟ ଗୁଇନ୍ଦା ସୂଚନା ପରେ ହୀରାନଗରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜାମ୍ମୁ-କାଶ୍ମୀର ଜଣେ ଝିଅ ଆହତ ହୋଇଥିଲେ ସୁଦ୍ଧା ଆତଙ୍କବାଦୀମାନେ ଖସି ପଳାଇଥିଲେ। ପାକିସ୍ତାନ ସହିତ ଆନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ସାନ୍ୟାଲ ଗାଁରେ ଏହି ଅପରେସନ କରାଯାଇଥିଲା। ୩୦ ମିନିଟର ଅପରେସନ ପରେ ସେମାନେ ଖସି ପଳାଇବାରେ ସଫଳ ହୋଇଥିଲେ। 

ତେଣୁ ମାର୍ଚ୍ଚ ୨୨ ତାରିଖରୁ ପୋଲିସ, ସେନା, ଏନଏସଜି, ବିଏସଏଫ ଏବଂ ସିଆରପିଏଫ୍‌କୁ ନେଇ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍ ଚାଲିଛି। ୟୁଏଭି, ଡ୍ରୋନ୍ ଏବଂ ବୁଲେଟ୍‌ପ୍ରୁଫ୍ ଯାନ ସମେତ ଅନ୍ୟାନ୍ୟ ଟେକ୍ନୋଲୋଜୀର ବ୍ୟବହାର କରି ଅନୁପ୍ରବେଶକାରୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.