ନୂଆଦିଲ୍ଲୀ: ଲୋକସଭାରେ ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଲୋକସଭାରେ ପାରିତ ହୋଇଛି । ଆପ୍ରବାସନ ବିଧେୟକ ଉପରେ ଚର୍ଚ୍ଚା ବେଳେ ଗୃହମନ୍ତ୍ରୀ ଅମିତ୍ ଶାହ ବିଲ୍ର ପ୍ରାବଧାନ ଉପରେ ବିସ୍ତାରରେ ଜବାବ ଦେଇଥିଲେ । ସେ କହିଥିଲେ ଯେ ଭାରତ ଆସିବା ପାଇଁ ବୈଧ ପାସ୍ପୋର୍ଟ, ବୈଧ ଭିସା ବାଧ୍ୟତାମୂଳକ ହେବ । ବିନା ଦସ୍ତାବିଜରେ ଭାରତରେ ପ୍ରବେଶ କଲେ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେ କହିଥିଲେ ଯେ ଭିସାର ଅବଧି ଶେଷ ହେବା ପରେ ଦେଶରେ ରହିଥିବା ବିଦେଶୀଙ୍କୁ ଟ୍ରାକ୍ କରାଯିବ ।
ବିରୋଧୀଙ୍କୁ ଟାର୍ଗେଟ୍ କରି ଶାହ କହିଥିଲେ ଯେଉଁ ପ୍ରକାର ପ୍ରଶ୍ନ କରାଯାଉଛି, ତାହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି । ସେ କହିଥିଲେ ଯେ ଦେଶର ଜନତା ବିଜେପିକୁ ଭୋଟ୍ ଦେଇଛନ୍ତି । ଆମେ ବହୁମତର ସରକାର ଗଢିଛୁ । ସରକାରଙ୍କ ପାଖରେ ବିଦେଶୀ ଅନୁପ୍ରବେଶକୁ ରୋକିବା, ଭାରତ ଆସୁଥିବା ଲୋକଙ୍କ ପାଖରେ ବୈଧ ଦସ୍ତାବିଜ ଅଛି ନାହିଁ ତାର ଯାଞ୍ଚ କରିବାର ପୂରା ଅଧିକାର ରହିଛି ।
ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଜବାବ ପରେ ଗୁରୁବାର ସଂଧ୍ୟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଧେୟକ ପାରିତ ହେବା ନେଇ ଘୋଷଣା କରିଥିଲେ । ବିଧେୟକ ପାରିତ ହେବା ପୂର୍ବରୁ ଲୋକସଭାରେ ଚର୍ଚ୍ଚାର ଜବାବ ଦେଇ ଗୃହମନ୍ତ୍ରୀ କହିଥିଲେ, ଇମିଗ୍ରେସନ କୌଣସି ଅଛୁଆ ପ୍ରସଙ୍ଗ ନୁହେଁ । ଦେଶକୁ କିଏ ଆସୁଛି, କେବେ ଆସୁଛି, କେତେ ସମୟ ଯାଏ ଆସୁଛି ଓ କେଉଁ ଉଦ୍ଦେଶ୍ୟରେ ଆସୁଛି, ତାହା ଜାଣିବାର ଅଧିକାର ଦେଶର ସରକାର ପାଖରେ ରହିଛି । ଏପରି କରିବା ଅତ୍ୟନ୍ତ ଜରୁରି । ପଶ୍ଚିମବଙ୍ଗରେ ୨୦୨୬ରେ ବିଧାନସଭା ନିର୍ବାଚନ ଜିତିବା ଦାବି କରି ଶାହ କହିଥିଲେ ଯେ ୪୫୦ କିଲୋମିଟରର ସୀମା ରାଜ୍ୟ ସରକାରଙ୍କ କୃପାଦୃଷ୍ଟିରୁ ଆଜି ଯାଏ ଅସୁରକ୍ଷିତ ଅଛି । କିନ୍ତୁ ଏହା ଆଉ ଅଧିକ ସମୟ ଯାଏ ନୁହେଁ ।
ଶାହ କହିଥିଲେ ଯେ ଯେଉଁମାନେ ବ୍ୟବସାୟ, ଶିକ୍ଷା ଓ ନିବେଶ ପାଇଁ ଭାରତ ଆସିବେ, ସେମାନଙ୍କୁ ସ୍ୱାଗତ । କିନ୍ତୁ ଯେଉଁମାନେ ଆମ ସୁରକ୍ଷା ପାଇଁ ବିପଦ ହେବେ, ସେମାନଙ୍କ ଉପରେ କଡ଼ା ନଜର ରଖାଯିବ । ସେ ଆହୁରି କରିଥିଲେ, 'ଭାରତ କୌଣସି ଧର୍ମଶାଳା ନୁହେଁ, ଯେଉଁଠାକୁ ଯିଏ ବି କୌଣସି ଉଦ୍ଦେଶ୍ୟ ସହ ଆସି ବସବାସ କରିବ ।'