ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ନରମିଲେ ଋଷ ରାଷ୍ଟ୍ରପତି, ଶାନ୍ତି ପୂର୍ଣ୍ଣ କଥାବାର୍ତ୍ତା ପାଇଁ ରାଜି

Published By : Prameya-News7 Bureau | April 22, 2025 IST

ନୂଆଦିଲ୍ଲୀ ୨୨/୦୪: ଦୀର୍ଘବର୍ଷ ପରେ ନରମିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷ-ୟୁକ୍ରେନ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ୟୁକ୍ରେନ ସହ ଶାନ୍ତି ଆଲୋଚନା ପୁଟିନ ଦେଇଛନ୍ତି  ପ୍ରସ୍ତାବ । ପୂର୍ବରୁ ପୁଟିନ ଇଷ୍ଟର ଅବସରରେ ଗୋଟିଏ ଦିନ ପାଇଁ ଏକପାଖିଆ ଯୁଦ୍ଧବିରତି ଘୋଷଣା କରିଥିଲେ । ଏବେ ସେ ଦ୍ୱିତୀୟ ଥର ପାଇଁ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏନେଇ ପଜିଟିଭି ରେସ୍‌ପଣ୍ଡ ଦେଇଛନ୍ତି । 

ଭିଡିଓ ବାର୍ତ୍ତାରେ ଜେଲେନସ୍କି ଜୋର୍ ଦେଇ କହିଥିଲେ ଯେ ୟୁକ୍ରେନ୍ ଯୁଦ୍ଧବିରତି ବିଷୟରେ ଯେକୌଣସି ଆଲୋଚନା ପାଇଁ ପ୍ରସ୍ତୁତ । ଯାହା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ବନ୍ଦ କରିବା ଦିଗରେ ସକାରାତ୍ମକ ପଦକ୍ଷେପ ହେବ। ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଇରାନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଭାଗୀତା ଚୁକ୍ତିକୁ ଅନୁମୋଦନ କରିଛନ୍ତି । ପୂର୍ବରୁ ରୁଷ ସଂସଦ ଏହି ଚୁକ୍ତିନାମାକୁ ଅନୁମୋଦନ କରିସାରିଛି । କ୍ରେମଲିନ୍ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। 

ଜାନୁଆରୀ ମାସରେ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ମସ୍କୋ ଗସ୍ତ କରିବା ସମୟରେ ଏହି ଚୁକ୍ତି ହୋଇଥିଲା। ଏହି ଚୁକ୍ତିନାମାରେ ଜାତୀୟ ସୁରକ୍ଷା ଶାନ୍ତିପୂର୍ଣ୍ଣ ପରମାଣୁ ଶକ୍ତିର ବ୍ୟବହାର ଏବଂ ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ଲାଗୁ ଏକପାଖିଆ କଟକଣା ବିରୁଦ୍ଧରେ ଏକାଠି କାମ କରିବା ଭଳି ଅନେକ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସହଯୋଗ ବିଷୟରେ ଆଲୋଚନା କରାଯାଇଛି। 

କିନ୍ତୁ, ଏହି ଚୁକ୍ତିନାମାରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯେ ଯଦି କୌଣସି ତୃତୀୟ ଦେଶରୁ ଆକ୍ରମଣ ହୁଏ ତେବେ ଉଭୟ ଦେଶ ମିଳିତ ଭାବରେ ପ୍ରତିଶୋଧ ନେବେ। ଏହି ଚୁକ୍ତିନାମାକୁ ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ଗଭୀର କରିବା ଦିଗରେ ଏକ ବଡ଼ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର ୩୦ ଘଣ୍ଟାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଥିଲେ କିନ୍ତୁ ରବିବାର (ଏପ୍ରିଲ ୨୦) ରେ ପୁଣି ସଂଘର୍ଷ ଆରମ୍ଭ ହୋଇଥିଲା। ରୁଷ ଏବଂ ୟୁକ୍ରେନ ପରସ୍ପର ଉପରେ ଅସ୍ତ୍ରବିରତି ଭଙ୍ଗ ପାଇଁ ଅଭିଯୋଗ କରୁଛନ୍ତି । ୟୁକ୍ରେନ ଆରମ୍ଭରୁ ଏହି ଅସ୍ତ୍ରବିରତିକୁ "ପ୍ରହସନ" ବୋଲି ବର୍ଣ୍ଣନା କରିଆସୁଛି। 

ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି କହିଛନ୍ତି ଯେ ଯଦି ରୁଷ ଯୁଦ୍ଧବିରତି ଘୋଷଣା କରେ ତେବେ ୟୁକ୍ରେନ ମଧ୍ୟ ଶାନ୍ତିପୂର୍ଣ୍ଣ ରହିବ କିନ୍ତୁ ଯଦି ଆକ୍ରମଣ ହୁଏ ତେବେ ନିଶ୍ଚିତ ଭାବରେ ଜବାବ ଦିଆଯିବ। ଜେଲେନସ୍କି, ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ସହିତ ମିଶି ନିଃସର୍ତ୍ତ ଯୁଦ୍ଧବିରତି ଏବଂ ଶାନ୍ତି ବିଷୟରେ କଥା ହୋଇଛନ୍ତି। ତାଙ୍କର ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ସହ ମଧ୍ୟ ଭଲ ଆଲୋଚନା ହୋଇଥିଲା।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.