ନୂଆଦିଲ୍ଲୀ ୨୨।୦୪: ବ୍ରିଟେନ୍ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ଆସିଛି ଚର୍ଚ୍ଚାକୁ । ଏହି ଭଙ୍ଗା ଫୁଲଦାନିଟି ୫୬ ଲକ୍ଷରେ ହୋଇଛି ନିଲାମ । ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଅନେକଙ୍କ ମନରେ ପ୍ରଶ୍ନ ଏହି ଫୁଲଦାନିଟିରେ କଣ ରହିଛି । କାହିଁକି ଏତେ ଦାମ୍ରେ ହୋଇଛି ନିଲାମ ?
ବାସ୍ତବରେ ପ୍ରସିଦ୍ଧ ଜର୍ମାନ-ବ୍ରିଟିଶ ମୃତ୍ତିକା ଶିଳ୍ପୀ ହାନ୍ସ କୋପରଙ୍କ ଏହା ଏକ ବିରଳ କଳାକୃତି । ଆଉ ଏଥିପାଇଁ ହିଁ ନିଲାମରେ ଏହାକୁ କିଣିବାକୁ ବଢ଼ିଥିଲା ପ୍ରତିଯୋଗିତା । ୧୯୬୪ ମସିହାରେ ନିର୍ମିତ ହୋଇଥିଲା ଏହି ୪ ଫୁଟ ଉଚ୍ଚତାର ଫୁଲଦାନି । ଏହା ଲଣ୍ଡନର ଏକ ବଗିଚାରେ ଅନେକ ବର୍ଷ ଧରି ପଡ଼ି ରହିଥିଲା।
ହାନ୍ସ କୋପର ୧୯୩୯ରେ ଜର୍ମାନୀରୁ ବ୍ରିଟେନ ଆସିଥିଲେ । ଜଣେ ମହିଳା ଗ୍ରାହକଙ୍କ ଅନୁରୋଧ କ୍ରମେ ସେ ଏହି ଫୁଲଦାନିଟିକୁ ତିଆରି କରିଥିଲେ। ମହିଳା ଜଣକ ଏହି ଫୁଲଦାନିକୁ ବହୁ ବର୍ଷ ଧରି ସାଇତି ରଖିଥିଲେ, କିନ୍ତୁ ସମୟ କ୍ରମେ ଏହା ନଷ୍ଟ ହୋଇଯାଇଥିଲା।
ମହିଳାଙ୍କ ମୃତ୍ୟୁର ଦୀର୍ଘବର୍ଷ ପରେ ସେହି ବଗିଚାରୁ ତାଙ୍କ ନାତି-ନାତୁଣୀ ଏହି ଫୁଲଦାନିଟିକୁ ଭାଙ୍ଗିଯାଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହା କୌଣସି ବିଶେଷ ବସ୍ତୁ ହୋଇଥିବା ନେଇ ସେମାନେ ଅନୁଭବ କରିଥିଲେ। ତେଣୁ ସେମାନେ ଏହାର ମୂଲ୍ୟକୁ ଯାଞ୍ଚ କରିବା ପାଇଁ ଲଣ୍ଡନସ୍ଥିତ ଚିସ୍ୱିକ୍ ଅକ୍ସନ ସହ ଯୋଗାଯୋଗ କରିଥିଲେ।
ସେଠାରେ ମୃତ୍ତିକା ବିଶେଷଜ୍ଞ ଜୋ ଲୟଡ୍ ଏହି ଫୁଲଦାନିକୁ ଯାଞ୍ଚ କରିଥିଲେ। ଏହି ଫୁଲଦାନିଟି କୌଣସି ସାଧାରଣ ବସ୍ତୁ ନୁହେଁ ବୋଲି ସେ ଜାଣିପାରିଥିଲେ। ଏହା ବିଶିଷ୍ଟ କୁମ୍ଭକାର ଶିଳ୍ପୀ ହାନ୍ସ କୋପରଙ୍କ ନିର୍ମିତ ଏକ ଐତିହାସିକ କଳାକୃତି ବୋଲି ସେ କହିଥିଲେ।
ଫଳରେ ଫୁଲଦାନିଟିକୁ ନିଲାମ କରିବାକୁ ମହିଳାଙ୍କ ନାତି ଏବଂ ନାତୁଣୀ ନିଷ୍ପତ୍ତି ନେଇଥିଲେ। ନିଲାମ ପୂର୍ବରୁ ଏହି ଫୁଲଦାନିଟି ୬.୭ରୁ ୧୧ ଲକ୍ଷ ଟଙ୍କା ମଧ୍ୟରେ ବିକ୍ରି ହେବ ବୋଲି ଚିସ୍ୱିକ୍ ଅକ୍ସନ ପକ୍ଷରୁ ଅନୁମାନ କରାଯାଇଥିଲା।